ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଘେରିଛି ନୂଆ ବିବାଦ। ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ସମ୍ପର୍କରେ ନିଜ ପୁସ୍ତକରେ ଭୁଲ୍ ଓ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗରେ ତାଙ୍କୁ ଆଇନଗତ ନୋଟିସ୍ ପଠାଯାଇଛି। ସାବରକରଙ୍କ ପରିବାର ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଏଥିରେ ସୋନିଆ ଗାନ୍ଧୀଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବା ସହ ସାର୍ବଜନୀନ ସ୍ପଷ୍ଟୀକରଣ ଦେବାକୁ ଦାବି କରାଯାଇଛି।
ସୂଚନା ଅନୁସାରେ, ସାବରକରଙ୍କ ପ୍ରପୌତ୍ର ସତ୍ୟକୀ ସାବରକରଙ୍କ ପକ୍ଷରୁ ଓକିଲ ସଂଗ୍ରାମ କୋଲହଟକର ଏହି ଆଇନଗତ ନୋଟିସ୍ ପଠାଇଛନ୍ତି। ସୋନିଆ ଗାନ୍ଧୀଙ୍କ ପୁସ୍ତକ 'Belonging: A Journey of Love'ର ୨୦୧ ଓ ୪୪୩ ପୃଷ୍ଠାରେ ଥିବା କିଛି ମନ୍ତବ୍ୟକୁ ନେଇ ଆପତ୍ତି ଉଠାଯାଇଛି।
ପୁସ୍ତକର ଦୁଇଟି ପୃଷ୍ଠାକୁ ନେଇ ବିବାଦ
ନୋଟିସ୍ରେ ଅଭିଯୋଗ କରାଯାଇଛି ଯେ, ପୁସ୍ତକର ୨୦୧ ପୃଷ୍ଠାରେ ସାବରକରଙ୍କୁ ନେଇ ଏଭଳି ଏକ ଧାରଣା ଦିଆଯାଇଛି ଯେ, ଯେତେବେଳେ କଂଗ୍ରେସର ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶ ଶାସକଙ୍କ ଅତ୍ୟାଚାର ଓ ଜେଲ୍ ଯନ୍ତ୍ରଣା ସହୁଥିଲେ, ସେତେବେଳେ ସାବରକର ବ୍ରିଟିଶ ସରକାରଙ୍କ ନିକଟକୁ କ୍ଷମା ଯାଚିକା ପଠାଉଥିଲେ। ଏହା ସହ RSSର କିଛି ସଦସ୍ୟ ବ୍ରିଟିଶ ଅଧିକାରୀଙ୍କ ପାଇଁ ଗୁପ୍ତ ସୂଚନାଦାତା ଭାବେ କାମ କରୁଥିବା କଥା ମଧ୍ୟ ଉଲ୍ଲେଖ ରହିଛି।
ସତ୍ୟକୀ ସାବରକରଙ୍କ ଅଭିଯୋଗ ଅନୁସାରେ, ଏଭଳି ମନ୍ତବ୍ୟ ଦ୍ୱାରା ସାବରକରଙ୍କୁ ବ୍ରିଟିଶ ସରକାରଙ୍କ ସହଯୋଗୀ ଭାବେ ଚିତ୍ରଣ କରାଯାଇଛି। ତାଙ୍କ ଜେଲ୍ ଜୀବନ, ରାଜନୈତିକ କାର୍ଯ୍ୟକଳାପ ଏବଂ ସେହି ସମୟର ପରିସ୍ଥିତିକୁ ବିଚାର ନକରି ଏଭଳି ମନ୍ତବ୍ୟ ଦେବା ଐତିହାସିକ ତଥ୍ୟକୁ ଅଧୁରା ଭାବେ ଉପସ୍ଥାପନ କରୁଛି।
ହିନ୍ଦୁତ୍ୱ ବିଚାରଧାରାକୁ ନେଇ ମଧ୍ୟ ଆପତ୍ତି
ପୁସ୍ତକର ୪୪୩ ପୃଷ୍ଠାରେ ସାବରକରଙ୍କ ହିନ୍ଦୁତ୍ୱ ବିଚାରଧାରାକୁ ନେଇ ଦିଆଯାଇଥିବା ବର୍ଣ୍ଣନାକୁ ମଧ୍ୟ ନୋଟିସ୍ରେ ବିରୋଧ କରାଯାଇଛି। ଏଥିରେ ସାବରକରଙ୍କ ରାଜନୈତିକ ଚିନ୍ତାଧାରାକୁ ଏପରି ଏକ ଭାରତର ପରିକଳ୍ପନା ଭାବେ ଦର୍ଶାଯାଇଛି, ଯେଉଁଠାରେ ହିନ୍ଦୁମାନଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ। ଏହି ଚିନ୍ତାଧାରା RSS, BJP ଏବଂ ସଂଘ ପରିବାର ସହ ଜଡ଼ିତ ବୋଲି ପୁସ୍ତକରେ ଉଲ୍ଲେଖ ଥିବା ନୋଟିସ୍ରେ କୁହାଯାଇଛି।
ସାବରକରଙ୍କ ପରିବାର ପକ୍ଷରୁ ଏହାକୁ ତାଙ୍କ ରାଜନୈତିକ ଓ ବୈଚାରିକ ଚିନ୍ତାଧାରାର ଅତି ସରଳୀକରଣ ଏବଂ ଭୁଲ୍ ବ୍ୟାଖ୍ୟା ବୋଲି ଦର୍ଶାଯାଇଛି। ତାଙ୍କ ଲେଖା, ଭାଷଣ ଓ ରାଜନୈତିକ ଦର୍ଶନକୁ ସେହି ସମୟର ଐତିହାସିକ ପରିସ୍ଥିତିରେ ବୁଝିବା ଆବଶ୍ୟକ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।