ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଲାଗିଥିବା ଅନିଶ୍ଚିତତା ମଧ୍ୟରେ ଆସିଛି ବଡ଼ ଖବର। ନଭେମ୍ବର ୨୯ ତାରିଖରେ ତାଙ୍କର ପ୍ରସ୍ତାବିତ ଓଡ଼ିଶା ଗସ୍ତ ବାତିଲ ହେବା ନେଇ ସୂଚନା ମିଳିଛି। ଏହି ଦିନ ପୁରୀରେ ହେବାକୁ ଥିବା ୨୮ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ (EZC) ବୈଠକକୁ ମଧ୍ୟ ବାତିଲ କରାଯାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ନଭେମ୍ବର ୨୯ରେ ପୁରୀରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହେବାର ଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ଏହି ବୈଠକକୁ ନେଇ ଓଡ଼ିଶାରେ ପ୍ରସ୍ତୁତି ମଧ୍ୟ ଚାଲିଥିଲା।
ବାତିଲ ହେଲା ୨୮ତମ ବୈଠକ
ପୂର୍ବ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଗୁରୁତ୍ୱ ବହନ କରେ। ଏହି ବୈଠକରେ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଯୋଗଦେବାର ଯୋଜନା ଥିଲା। ତେବେ ଏହାକୁ ବାତିଲ କରାଯାଇଥିବାରୁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ମଧ୍ୟ ଆଉ ହେବ ନାହିଁ ବୋଲି ସୂଚନା ମିଳିଛି।
ନୂଆ ତାରିଖକୁ ଅପେକ୍ଷା
ତେବେ ବୈଠକ କାହିଁକି ବାତିଲ ହେଲା ଏବଂ ଏହା କେବେ ଅନୁଷ୍ଠିତ ହେବ, ସେନେଇ ଆନୁଷ୍ଠାନିକ ସ୍ପଷ୍ଟୀକରଣ ଓ ନୂଆ ତାରିଖକୁ ଅପେକ୍ଷା କରାଯାଇଛି। ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ଖବର ପରେ ରାଜ୍ୟ ରାଜନୈତିକ ଓ ପ୍ରଶାସନିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Also Read: ଝଲସିବ ସିଲଭର ସିଟି; ପ୍ରଥମଥର ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି, ସୁରକ୍ଷାରେ ୬୨ ପ୍ଲାଟୁନ୍ ପୁଲିସ ଫୋର୍ସ