କଟକ: ଉତ୍ସବମୁଖର ସିଲଭର ସିଟି। ମହାନଦୀ କୂଳରେ ଜମିବ ଐତିହାସିକ ବାଲିଯାତ୍ରାର ମହାକୁମ୍ଭ। ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ଏହି ଐତିହ୍ୟ ଓ ପରମ୍ପରାର ମହାପର୍ବ। ତେବେ ଚଳିତବର୍ଷର ସବୁଠୁ ବଡ଼ ଆକର୍ଷଣ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି। ପ୍ରଥମଥର ପାଇଁ ଦେଶର ରାଷ୍ଟ୍ରପତି ବାଲିଯାତ୍ରାର ଉଦ୍ଘାଟନ କରିବାକୁ ଯାଉଥିବାରୁ କଟକରେ ଉତ୍ସାହ ଦ୍ୱିଗୁଣିତ ହୋଇଛି।
ନୌକାରେ ମହାନଦୀ ପାର ହେବେ ରାଷ୍ଟ୍ରପତି
ଚଳିତବର୍ଷ ବାଲିଯାତ୍ରାରେ ଯୋଡ଼ିହେବ ଏକ ନୂଆ ଐତିହାସିକ ଅଧ୍ୟାୟ। ରାଷ୍ଟ୍ରପତି ସିଲଭର ସିଟି ବୋଟ୍ କ୍ଲବ୍ରୁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ସ୍ୱତନ୍ତ୍ର ବୋଟ୍ରେ ମହାନଦୀ ପାର ହୋଇ ଗଡ଼ଗଡ଼ିଆ ଘାଟରେ ପହଞ୍ଚିବେ। ସେଠାରେ ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବାଲିଯାତ୍ରା ପଡ଼ିଆକୁ ଯିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ଏହି ନୌଯାତ୍ରାକୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି। ତାଙ୍କ ବୋଟ୍ ସହ ସାତଟି ସୁରକ୍ଷା ଡଙ୍ଗା ମୁତୟନ ରହିବେ। ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ସୁରକ୍ଷା ଦାୟିତ୍ୱରେ ରହିବେ।
୬୦ ଏକରରେ ମେଳା, ୧୮୦୦ରୁ ଅଧିକ ଷ୍ଟଲ୍
ଏଥର ପ୍ରାୟ ୬୦ ଏକର ଜମିରେ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେଉଛି ଏହି ବିଶାଳ ମେଳା। ପ୍ରାୟ ୧୮୦୦ରୁ ଅଧିକ ଷ୍ଟଲ୍ ଖୋଲିବାକୁ ଯୋଜନା ରହିଛି। ହସ୍ତଶିଳ୍ପ, ହସ୍ତତନ୍ତ, ଘରକରଣା ସାମଗ୍ରୀ, ଖାଦ୍ୟର ପସରା ସାଙ୍ଗକୁ ମନୋରଞ୍ଜନର ଭରପୂର ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବ।
‘କଟକ ଇନ୍ କଟକ’ ପ୍ରଦର୍ଶନୀ ମଧ୍ୟ ଚଳିତବର୍ଷର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ। ଏହାକୁ ରାଷ୍ଟ୍ରପତି ଉଦ୍ଘାଟନ କରିବା ପରେ ମୁଖ୍ୟ ମଞ୍ଚରୁ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିବେ।
୬୨ ପ୍ଲାଟୁନ୍ ପୁଲିସ ଫୋର୍ସ, ଡ୍ରୋନ୍ ଉଡ଼ାଣ ଉପରେ କଟକଣା
ରାଷ୍ଟ୍ରପତିଙ୍କ ଗସ୍ତ ଓ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସମଗ୍ର ବାଲିଯାତ୍ରା ପଡ଼ିଆରେ ୬୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପାର୍କିଂ ଓ ଆଇନଶୃଙ୍ଖଳା ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିବ।
ଏଥିସହ ବାଲିଯାତ୍ରା ପଡ଼ିଆର ପାଞ୍ଚ କିଲୋମିଟର ପରିଧିକୁ ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଡ୍ରୋନ୍ ଉଡ଼ାଣ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି।
ବର୍ଷା ପରେ ପଡ଼ିଆକୁ ଶେଷ ସ୍ପର୍ଶ
ବାତ୍ୟା ‘ଅକଭାନ୍’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବାଲିଯାତ୍ରା ପଡ଼ିଆର ଅବସ୍ଥା କିଛିଟା ବିଗିଡ଼ି ଯାଇଥିଲା। ତେବେ ମେଳା ଆରମ୍ଭ ପୂର୍ବରୁ ପଡ଼ିଆକୁ ପ୍ରସ୍ତୁତ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଷ୍ଟଲ୍ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା, ଆଲୋକୀକରଣ ଓ ମନୋରଞ୍ଜନ ବ୍ୟବସ୍ଥାକୁ ଶେଷ ସ୍ପର୍ଶ ଦିଆଯାଉଛି। ପରିବେଶ ସୁରକ୍ଷା ପାଇଁ ଚଳିତବର୍ଷ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି।
ଐତିହ୍ୟ, ପରମ୍ପରା ଓ ଗୌରବର ମହାମିଳନ
ଓଡ଼ିଆ ସାଧବ ପୁଅଙ୍କ ସାମୁଦ୍ରିକ ବାଣିଜ୍ୟ ଓ ଗୌରବମୟ ନୌବାଣିଜ୍ୟ ଇତିହାସର ସ୍ମୃତି ବହନ କରୁଥିବା ବାଲିଯାତ୍ରା କେବଳ ଏକ ମେଳା ନୁହେଁ, ଏହା ଓଡ଼ିଆ ଅସ୍ମିତା ଓ ଐତିହ୍ୟର ପ୍ରତୀକ। ଚଳିତବର୍ଷ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ମହୋତ୍ସବର ଗୁରୁତ୍ୱକୁ ଆହୁରି ବଢ଼ାଇବ।