ଭୁବନେଶ୍ୱର: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ କାର୍ଡରେ ରେକର୍ଡ ସଂଖ୍ୟକ ଚିକିତ୍ସା କରାଯାଇଛି । ବିଗତ ଅଢେଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।
ବିଜେପି ବିଧାୟକ ମାନସ କୁମାର ଦତ୍ତ ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା ପରଠାରୁ କେତେ ଜଣ ରୋଗୀ ଉପକୃତ ହୋଇଛନ୍ତି ତାହାର ଜିଲ୍ଲାୱାରୀ ତଥ୍ୟ ଜାଣିବାକୁ ଚାହିଁଥିଲେ । ତତସହିତ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟୟ କରିଛନ୍ତି ସେ ସମ୍ପର୍କିତ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ବିଭାଗୀୟ ମନ୍ତ୍ରୀ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ।
ମନ୍ତ୍ରୀଙ୍କ ତଥ୍ୟ ଆଧାରରେ ବିଗତ ଅଢେଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷ ୧୧ ହଜାର ୯୪୯ ଜଣ ରୋଗୀଙ୍କ ଆୟୁଷ୍ମାନ କାର୍ଡ ହିତାଧିକାରୀ ଉପକୃତ ହୋଇଛନ୍ତି । ଯାହାର ସେ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୬,୮୭୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୧ ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ପର୍ୟ୍ୟନ୍ତ ଏହି ଟଙ୍କା ଖର୍ଚ୍ଚ ହୋଇଛି ।
ସେହିପରି ଓଡ଼ିଶା ବାହାରେ ମଧ୍ୟ ୨ ଲକ୍ଷ ୪ ହଜାର ୮୨ ଜଣ ରୋଗୀଙ୍କ ଚିକିତ୍ସା ହୋଇଛି । ଏଥିପାଇଁ ୬୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ସ୍ୱାସ୍ଥ୍ୟ କାର୍ଡ ଚିକିତ୍ସାରେ କଟକ ଜିଲ୍ଲା ପ୍ରଥମରେ ରହିଥିବାବେଳେ ଗଞ୍ଜାମ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ରାଜ୍ୟ ବାହାର ଚିକିତ୍ସାରେ ବଲାଙ୍ଗିର ଆଗରେ ରହିଛି । ଆୟୁଷ୍ମାନ ଯୋଜନାରେ ବଲାଙ୍ଗିରକୁ ସର୍ବାଧିକ ଲାଭ ମିଳିଛି । ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିର ସର୍ବାଧିକ ଲୋକ ଓଡ଼ିଶା ବାହାରେ ଚିକିତ୍ସା ଲାଭ ପାଇଛନ୍ତି ।
ତେବେ କର୍କଟ ଭଳି ବଡ଼ ବଡ଼ ରୋଗ ପାଇଁ ସରକାରୀ ସୁବିଧା ମିଳୁନଥିବା ଭଳି ଅଭିଯୋଗ ସରକାରଙ୍କ ଦୃଷ୍ଟି ଗୋଚରକୁ ଆସିନଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଉତ୍ତର ଦେଇଛନ୍ତି ।