ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC)ରେ ରାଜନୈତିକ ହଟଚମଟ ମଧ୍ୟରେ ସାୟୋନୀ ଘୋଷଙ୍କ ସମେତ ୨୦ ଜଣ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ନିଜର ଲିଖିତ ଜବାବ ଦାଖଲ କରିଛନ୍ତି। ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିବା ଏହି ସାଂସଦମାନଙ୍କ ସଦସ୍ୟତା ରଦ୍ଦ କରିବାକୁ TMC ପକ୍ଷରୁ ଦାବି କରାଯାଇଥିଲା।
ସୂଚନା ଅନୁସାରେ, ପ୍ରତ୍ୟେକ ସାଂସଦ ପ୍ରାୟ ୧୭ରୁ ୧୮ ପୃଷ୍ଠାର ଜବାବ ଦାଖଲ କରିଛନ୍ତି। ସେମାନେ କୌଣସି ସାମ୍ବିଧାନିକ କିମ୍ବା ସଂସଦୀୟ ନିୟମ ଉଲ୍ଲଂଘନ କରିନଥିବା ଦାବି କରିଛନ୍ତି। ଏହା ସହିତ ଦଳ ଛାଡ଼ିବା ନିଷ୍ପତ୍ତିକୁ ମଧ୍ୟ ଯଥାର୍ଥ ବୋଲି ଦର୍ଶାଇଛନ୍ତି।
କାହିଁକି ଉପୁଜିଛି ବିବାଦ ?
ପଶ୍ଚିମବଙ୍ଗରେ ରାଜନୈତିକ ପରିସ୍ଥିତି ବଦଳିବା ପରେ TMCର ୨୦ ଜଣ ସାଂସଦ ଦଳଠାରୁ ଅଲଗା ହୋଇ NCPIରେ ସାମିଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ପରେ ସେମାନେ NDAକୁ ସମର୍ଥନ ଜଣାଇଥିଲେ। ଏହାକୁ ନେଇ TMCର ଜାତୀୟ ମହାସଚିବ ଅଭିଷେକ ବାନାର୍ଜୀ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଯୋଗ୍ୟତା ଅଭିଯୋଗ ଆଣିଥିଲେ।
ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା
ବିଦ୍ରୋହୀ ସାଂସଦମାନଙ୍କ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ନିଷ୍ପତ୍ତି ସାମୂହିକ ଥିଲା ଏବଂ ଏଥିରେ କୌଣସି ଆଇନର ଉଲ୍ଲଂଘନ ହୋଇନାହିଁ। ଅନ୍ୟପଟେ, TMC ଏହି ଯୁକ୍ତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଏବେ ଉଭୟ ପକ୍ଷର ଯୁକ୍ତି ଓ ଦସ୍ତାବିଜ୍ ଯାଞ୍ଚ ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ନିଷ୍ପତ୍ତି ୨୦ ଜଣ ସାଂସଦଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।