ନୂଆଦିଲ୍ଲୀ: ପ୍ରଥମ ଦୁଇଟି ମ୍ୟାଚ୍ରେ ବ୍ୟାଟ୍ରେ କମାଲ ଦେଖାଇବାରେ ବିଫଳ ହୋଇଥିଲେ। କିନ୍ତୁ ତୃତୀୟ ମ୍ୟାଚ୍ରେ ସବୁ ହିସାବ ବଦଳାଇଦେଲେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍ରେ UAE ବିପକ୍ଷରେ ୨୦୪ ରନ୍ର ବିସ୍ଫୋରକ ଇନିଂସ ଖେଳି କ୍ରିକେଟ୍ ଜଗତରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ସେ। ଏହି ଇନିଂସ ପଛରେ କୌଣସି ହଠାତ୍ ଚମତ୍କାର ନଥିଲା, ବରଂ ଥିଲା ସ୍ପଷ୍ଟ ରଣନୀତି ଓ ନିଜ ଖେଳ ଉପରେ ଭରସା।
ପ୍ରଥମ ଦୁଇ ମ୍ୟାଚ୍ରେ ନିରାଶ କରିଥିଲେ ବୈଭବ
ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ବୈଭବଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ନେପାଳ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସେ ମାତ୍ର ୨୬ ରନ୍ କରିଥିବା ବେଳେ ପାକିସ୍ତାନ-ଏ ବିପକ୍ଷରେ ତାଙ୍କ ଇନିଂସ ୧୧ ରନ୍ରେ ଶେଷ ହୋଇଥିଲା। ଲଗାତାର ଦୁଇଟି ମ୍ୟାଚ୍ରେ ବଡ଼ ସ୍କୋର କରିପାରିନଥିବାରୁ ପରବର୍ତ୍ତୀ ମ୍ୟାଚ୍ ପାଇଁ ସେ ନିଜର ରଣନୀତି ବଦଳାଇଥିଲେ। ଏହାର ପରିଣାମ UAE ବିପକ୍ଷ ମ୍ୟାଚ୍ରେ ଦେଖିବାକୁ ମିଳିଥିଲା।
୨୦୪ ରନ୍ ପଛରେ କ'ଣ ଥିଲା ବୈଭବଙ୍କ ରଣନୀତି ?
ମ୍ୟାଚ୍ ପରେ ନିଜର ଇନିଂସ ସମ୍ପର୍କରେ କହି ବୈଭବ କହିଥିଲେ ଯେ, ପୂର୍ବ ଦୁଇଟି ମ୍ୟାଚ୍ରେ ସେ କ୍ରିଜ୍ରେ କିଛି ସମୟ ରହିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ। ତେଣୁ ଏଥର ପ୍ରଥମେ କ୍ରିଜ୍ରେ କିଛି ସମୟ ନେଇ ଖେଳିବାକୁ ଯୋଜନା କରିଥିଲେ। କିନ୍ତୁ ଆରମ୍ଭରୁ କିଛି ବଲ୍ ଖେଳିବା ପରେ ସେ ବୁଝିପାରିଥିଲେ ଯେ ପିଚ୍ରୁ ବୋଲରମାନଙ୍କୁ ବିଶେଷ ସହାୟତା ମିଳୁନାହିଁ। ଏହାପରେ ସେ ନିଜର ଶକ୍ତି ଉପରେ ଭରସା କରି ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ।
ବ୍ୟାଟିଂ ବେଳେ ମନରେ କ'ଣ ଚାଲୁଥିଲା ?
ବ୍ୟାଟିଂ ସମୟରେ ମନରେ କୌଣସି ଜଟିଳ ଯୋଜନା ନଥିଲା ବୋଲି ବୈଭବ କହିଛନ୍ତି। ଯଦି ପିଚ୍ରୁ ବୋଲରଙ୍କୁ ସହାୟତା ମିଳିଥାନ୍ତା, ତେବେ ସେ ଧୈର୍ଯ୍ୟର ସହ ଖେଳି ଇନିଂସକୁ ଆଗକୁ ବଢ଼ାଇଥାନ୍ତେ। କିନ୍ତୁ ପିଚ୍ ଭଲ ଥିବା ସହ ବଲ୍ ମଧ୍ୟ ବ୍ୟାଟ୍କୁ ଭଲ ଭାବେ ଆସୁଥିଲା। ତେଣୁ ନିଜର ସ୍ୱାଭାବିକ ଖେଳ ଉପରେ ବିଶ୍ୱାସ ରଖି ବ୍ୟାଟିଂ ଜାରି ରଖିଥିଲେ ସେ।
ମାନସିକତାରେ ଆଣିନଥିଲେ କୌଣସି ପରିବର୍ତ୍ତନ
ନିଜର ମାନସିକ ପ୍ରସ୍ତୁତି ବିଷୟରେ ମଧ୍ୟ ବୈଭବ ସ୍ପଷ୍ଟ ମତ ରଖିଥିଲେ। ତାଙ୍କ କହିବା ଅନୁଯାୟୀ, ତାଙ୍କର ଲକ୍ଷ୍ୟ ସବୁବେଳେ ଗୋଟିଏ ବଡ଼ ଇନିଂସ ଖେଳିବା ଉପରେ ରହିଥାଏ। ଯଦି ଆରମ୍ଭରୁ ଖେଳ ନିଜ ନିୟନ୍ତ୍ରଣରେ ନଥାନ୍ତା, ତେବେ ସେ କିଛି ସମୟ ନେଇଥାନ୍ତେ। କିନ୍ତୁ ଏହି ମ୍ୟାଚ୍ରେ ଶୀଘ୍ର ଖେଳ ଉପରେ ନିୟନ୍ତ୍ରଣ ହାସଲ କରିପାରିଥିଲେ। ଏହାପରେ ନିଜ ଶୈଳୀରେ ବ୍ୟାଟିଂ କରିଥିଲେ।