ଭୁବନେଶ୍ୱର: ଭୁବନେଶ୍ୱର, କଟକ, ପୁରୀ ଏବଂ ପାରାଦୀପ ଅର୍ଥନୈତିକ କରିଡରରେ ଗମନାଗମନକୁ ଅଧିକ ସୁଗମ, ଶସ୍ତା ଓ ଆଧୁନିକ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ବ୍ୟାପକ ଆଞ୍ଚଳିକ ଗତିଶୀଳତା ଯୋଜନା’ (CRMP) ଅନ୍ତର୍ଗତ ‘ଘରକୁ ଘର ଯାତାୟାତ ସର୍ଭେ’ ଆରମ୍ଭ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ (ADB)ର ବୈଷୟିକ ଓ ଆର୍ଥିକ ସହାୟତାରେ ଏହି ମେଗା ଯୋଜନାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି।
ସହରାଞ୍ଚଳ ଓ ଅର୍ଥନୈତିକ କରିଡରରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସହ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି। ସାଧାରଣ ନାଗରିକ ପ୍ରତିଦିନ କିଭଳି ଯାତ୍ରା କରୁଛନ୍ତି, ଯାତାୟାତ ବେଳେ କେଉଁ ସବୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି ଏବଂ କେଉଁ ଅଞ୍ଚଳରେ ନୂତନ ପରିବହନ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହାର ବାସ୍ତବ ଚିତ୍ର ଜାଣିବା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅଭିଯାନ ଅଧୀନରେ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସର୍ଭେ ପ୍ରତିନିଧିମାନେ ଚିହ୍ନଟ ହୋଇଥିବା ପରିବାରଗୁଡ଼ିକୁ ଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ। ବିଶେଷକରି ପରିବାରରେ ଥିବା ନିଜସ୍ୱ ଯାନବାହନର ବିବରଣୀ, ସଦସ୍ୟମାନଙ୍କର ଦୈନନ୍ଦିନ ଯାତାୟାତର ଶୈଳୀ ଏବଂ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ କିମ୍ବା ବ୍ୟବସାୟ ପାଇଁ ହେଉଥିବା ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସେମାନେ ବୁଝିବେ।
ଏହାସହ ଯାତ୍ରା ପାଇଁ ବ୍ୟବହୃତ ମାଧ୍ୟମ, ଏଥିପାଇଁ ଲାଗୁଥିବା ସମୟ, ଦୈନିକ ଖର୍ଚ୍ଚ ଏବଂ ଯାତାୟାତ ସମୟରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ନାଗରିକଙ୍କ ପ୍ରସ୍ତାବ ମଧ୍ୟ ନିଆଯିବ। ତେବେ ସଂଗ୍ରହ କରାଯାଉଥିବା ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ଏବଂ ଏହା କେବଳ ରାଜ୍ୟର ପରିବହନ ବିକାଶ ଯୋଜନା ପ୍ରସ୍ତୁତି ପାଇଁ ହିଁ ବ୍ୟବହାର କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ, ଏକ ଲୋକାଭିମୁଖୀ ଓ ଉନ୍ନତ ପରିବହନ ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ବୁଝିବା ନିହାତି ଜରୁରୀ। ଏହି ସର୍ଭେରୁ ମିଳିବାକୁ ଥିବା ତଥ୍ୟ ଆଗାମୀ ଦିନରେ ଏକ ସୁରକ୍ଷିତ, ସୁଲଭ ଏବଂ ସମନ୍ୱିତ ଗମନାଗମନ ବ୍ୟବସ୍ଥା ନିର୍ମାଣରେ ମାଇଲଖୁଣ୍ଟ ସାଜିବ। ସର୍ଭେ ଟିମ୍ ଘରକୁ ଗଲେ ସେମାନଙ୍କୁ ସଠିକ୍ ତଥ୍ୟ ଦେଇ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଅନ୍ୟପଟେ ‘କମ୍ପ୍ରେହେନସିଭ୍ ରିଜିଓନାଲ୍ ମୋବିଲିଟି ପ୍ଲାନ୍’ (CRMP) କେବଳ ଯାତ୍ରୀ ପରିବହନ ନୁହେଁ, ବରଂ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଅଞ୍ଚଳରେ ମାଲ ପରିବହନ (ଲଜିଷ୍ଟିକ୍ସ)କୁ ମଧ୍ୟ ଦୀର୍ଘମିଆଦୀ ଭିତ୍ତିରେ ଶୃଙ୍ଖଳିତ କରିବ। ଘରକୁ ଘର ସର୍ଭେ ବ୍ୟତୀତ ରାସ୍ତାରେ ଟ୍ରାଫିକ୍ ଭିଡ଼ର ଅନୁଧ୍ୟାନ, ସାର୍ବଜନୀନ ବସ୍ ଓ ମେଟ୍ରୋ ପରିବହନର ମୂଲ୍ୟାଙ୍କନ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ପରାମର୍ଶ କ୍ରମେ ଏହି ମାଷ୍ଟରପ୍ଲାନ୍ ଚୂଡ଼ାନ୍ତ ହେବ। ନାଗରିକଙ୍କ ଗୋଟିଏ ସଠିକ୍ ମତାମତ ଆଗାମୀ ଦିନରେ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ଦେବା ସହ ଉନ୍ନତ ବସ୍ ସେବା ଏବଂ ସୁଦୃଢ଼ ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥା ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।