ସପ୍ତାହେ ଶୀତରୁ ମିଳିଥିଲା ସାମାନ୍ୟ ଆଶ୍ୱସ୍ତି। ହେଲେ ଏବେ ପୁଣି ଥରିବ ଓଡ଼ିଶା। ଆଗାମୀ ୨ରୁ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ଖସିବ ରାତି ତାପମାତ୍ରା। ରାଜ୍ୟରେ ଫେରିବ ଶୀତର ପ୍ରକୋପ। ଅନ୍ୟପଟେ ସକାଳୁ ସକାଳୁ ଘନ କୁହୁଡ଼ି ପାଇଁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ।
୭୨ ଘଣ୍ଟାରେ ୫ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ। ଫଳରେ ରାତି ସହ ସକାଳେ ଶୀତର ଅନୁଭୂତି ବଢ଼ିବ।
ପାଣିପାଗ ବିଜ୍ଞାନୀ ଡକ୍ଟର ସଞ୍ଜୀବ ଦ୍ୱିବେଦୀଙ୍କ କହିବା ଅନୁସାରେ, ଆଗାମୀ ୭୨ ଘଣ୍ଟାରେ ପାରଦ ଖସିବା ପରେ ତାପମାତ୍ରାରେ ବଡ଼ ପରିବର୍ତ୍ତନର ସମ୍ଭାବନା କମ୍। ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ରୁ ୬.୪ ଡିଗ୍ରୀ ଅଧିକ ରହିଛି। ତେବେ ଆକାଶ ମେଘମୁକ୍ତ ହେବା ସହ ଶୁଷ୍କ ଉତ୍ତରା ପବନ ବହିବାରୁ ତାପମାତ୍ରା ଦ୍ରୁତ ହ୍ରାସ ପାଇବ। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିଲା। କେବଳ କିଛି ସ୍ଥାନରେ ହାଲୁକା ବର୍ଷା ରେକର୍ଡ ହୋଇଛି।
ବିଭିନ୍ନ ସ୍ଥାନର ରାତି ତାପମାତ୍ରା:
- ଦାରିଙ୍ଗବାଡ଼ି ୧୫.୫°C
- ଫୁଲବାଣୀ ୧୬°C
- ବୌଦ୍ଧ ୧୬.୬°C
- କଟକ ୧୯.୬°C
- ଭୁବନେଶ୍ୱର ୨୨.୯°C
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ
ଶୀତ ସହ ଏବେ ଘନ କୁହୁଡ଼ି ଚିନ୍ତା ବଢ଼ାଇବ। ନଭେମ୍ବର ୨୫ ସକାଳ ପର୍ଯ୍ୟନ୍ତ କିଛି ଜିଲ୍ଲାରେ କୁହୁଡ଼ି ପାଇଁ ସତର୍କତା ଜାରି ହୋଇଛି।
ହାଲୁକାରୁ ମଧ୍ୟମ କୁହୁଡ଼ି: ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର।
ଘନ କୁହୁଡ଼ି: ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କୋରାପୁଟ।
ଏହି ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନତା ୫୦ରୁ ୨୦୦ ମିଟର ମଧ୍ୟରେ ରହିପାରେ। ତେଣୁ ସକାଳୁ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ନଭେମ୍ବର ୩୦ ଯାଏଁ ଶୁଖିଲା ପାଗ
ପାଣିପାଗ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ିଶା ଉପରେ ବର୍ଷା କରାଇବା ଭଳି କୌଣସି ସକ୍ରିୟ ପାଣିପାଗ ପ୍ରଣାଳୀ ନାହିଁ। ତେଣୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।