ଭୁବନେଶ୍ୱର: ଧୂଆଁରେ ଉଡ଼ିଗଲା ୨୧୦୦ କୋଟିରୁ ଅଧିକ ଟଙ୍କା। ସିଗାରେଟ୍ ଟାଣିବାରେ ଓଡ଼ିଶାବାସୀଙ୍କ ଖର୍ଚ୍ଚ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟରେ ୨,୧୦୩ କୋଟିରୁ ଅଧିକ ଟଙ୍କାର ସିଗାରେଟ୍ ବିକ୍ରି। ଏଥିରୁ ସରକାରଙ୍କ ରାଜକୋଷକୁ ମିଳିଛି ୩୧୯ କୋଟି ଟଙ୍କାର SGST। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏହି ତଥ୍ୟ।
ସିଗାରେଟ୍ ଧୂଆଁରେ ଉଡ଼ିଲା ୨୧୦୩ କୋଟି
ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ମୋଟ ୨,୧୦୩.୯୬ କୋଟି ଟଙ୍କାର ସିଗାରେଟ୍ ବିକ୍ରି ହୋଇଛି। ଏହି ବିକ୍ରିରୁ ରାଜ୍ୟ ସରକାର ୩୧୯.୫୪ କୋଟି ଟଙ୍କା SGST ଆକାରରେ ପାଇଛନ୍ତି।
ଫେବୃଆରୀରୁ ବଢ଼ିଲା ସିଗାରେଟ୍ ଉପରେ ଟିକସ
ସିଗାରେଟ୍ ଉପରେ ଟିକସ ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ୨୦୧୭ ଜୁଲାଇ ୧ରୁ GST ଲାଗୁ ହେବା ପରେ ସିଗାରେଟ୍ ଉପରେ GST ସହିତ କମ୍ପେନସେସନ୍ ସେସ୍ ଆଦାୟ ହେଉଥିଲା।
ଜାନୁଆରୀ ୩୧, ୨୦୨୬ ପର୍ଯ୍ୟନ୍ତ: ୨୮% GST (୧୪% SGST + ୧୪% CGST) ସହ କମ୍ପେନସେସନ୍ ସେସ୍।
ଫେବୃଆରୀ ୧, ୨୦୨୬ରୁ: GST ହାର ବୃଦ୍ଧି ପାଇ ୪୦% (୨୦% SGST + ୨୦% CGST) ହୋଇଛି। କମ୍ପେନସେସନ୍ ସେସ୍ ହଟାଯାଇଛି। ଏହା ସହିତ ସିଗାରେଟ୍ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ମଧ୍ୟ ଲାଗୁ ହେଉଛି।
କେମିତି ହେଉଛି ସିଗାରେଟ୍ ବିକ୍ରିର ହିସାବ?
ସରକାରଙ୍କ ଅନୁସାରେ, GST ବ୍ୟବସ୍ଥାରେ HSN କୋଡ୍ ୨୪୦୨ ଅନୁସାରେ ସିଗାରେଟ୍ ବିକ୍ରିର ହିସାବ ରଖାଯାଉଛି। ତେବେ କେଉଁ ବ୍ରାଣ୍ଡର କେତେ ବିକ୍ରି ହେଉଛି, ତାହାର ପୃଥକ ତଥ୍ୟ GST ପୋର୍ଟାଲରେ ଉପଲବ୍ଧ ନାହିଁ।
ବର୍ତ୍ତମାନ ଉତ୍ପାଦ ଉପରେ ଘୋଷଣା କରାଯାଇଥିବା ଖୁଚୁରା ବିକ୍ରୟ ମୂଲ୍ୟ ଆଧାରରେ GST ହିସାବ କରାଯାଉଛି। ଟିକସ ଆଦାୟ ଖୁଚୁରା ବ୍ୟବସାୟୀଙ୍କ ସ୍ତରରେ ନୁହେଁ, ବରଂ ନିର୍ମାତାଙ୍କ ସ୍ତରରେ ହେଉଛି। ଏହାଦ୍ୱାରା ଟିକସ ଫାଙ୍କିବାର ସମ୍ଭାବନା କମିବ ବୋଲି ସରକାର କହିଛନ୍ତି।
ଟଙ୍କା ସହ ଯାଉଛି ସ୍ୱାସ୍ଥ୍ୟ
ସିଗାରେଟ୍ ବିକ୍ରିର ଏହି ବିଶାଳ ପରିମାଣ ରାଜ୍ୟରେ ତମାଖୁ ଉତ୍ପାଦର ବଜାର କେତେ ବଡ଼ ତାହା ଦର୍ଶାଉଛି। ଅନ୍ୟପଟେ ଧୂମପାନ ଫଳରେ କ୍ୟାନ୍ସର, ହୃଦ୍ରୋଗ ଓ ଫୁସ୍ଫୁସ୍ ଜନିତ ରୋଗର ଆଶଙ୍କା ବଢ଼ିଥାଏ। ତେଣୁ ଅଧିକ ଟିକସ ଲାଗୁ କରିବା ସହ ତମାଖୁ ବ୍ୟବହାର ହ୍ରାସ କରିବା ମଧ୍ୟ ଏକ ବଡ଼ ଆହ୍ୱାନ।
ଗୋଟିଏ ପଟେ ୨୧୦୦ କୋଟିର ସିଗାରେଟ୍ ବ୍ୟବସାୟ, ଅନ୍ୟପଟେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିପଦ। ରାଜ୍ୟରେ ଧୂମପାନ ନିୟନ୍ତ୍ରଣ ପାଇଁ ଆହୁରି କେତେ ସଚେତନତା ଓ କଡ଼ା ପଦକ୍ଷେପ ଆବଶ୍ୟକ?