ନୂଆଦିଲ୍ଲୀ: କ୍ରିକେଟ୍ରେ ବ୍ୟାଟରଙ୍କ ଦବଦବା ଦିନକୁ ଦିନ ବଢ଼ୁଛି। ବିଶେଷକରି T20 ଫର୍ମାଟ୍ରେ ଛକା ବର୍ଷା ମଧ୍ୟରେ ବୋଲରଙ୍କ ପାଇଁ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ବ୍ୟାଟରଙ୍କ ବ୍ୟବହୃତ ବ୍ୟାଟ୍ର ଆକାର ଓ ମାପକୁ ନେଇ କଡ଼ା ନିୟମ ଆଣିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)। ଏଣିକି ଅନ୍ତର୍ଜାତୀୟ ମ୍ୟାଚ୍ରେ ମଧ୍ୟ IPL ଭଳି ବ୍ୟାଟ୍ ଗେଜ୍ ମାଧ୍ୟମରେ ଖେଳାଳିଙ୍କ ବ୍ୟାଟ୍ ଯାଞ୍ଚ କରାଯିବ।
ଏହି ନୂଆ ବ୍ୟବସ୍ଥା ଅନୁସାରେ, ବ୍ୟାଟର ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଅମ୍ପାୟାର ତାଙ୍କ ବ୍ୟାଟ୍କୁ ଏକ ସ୍ୱତନ୍ତ୍ର ମାପ ଯନ୍ତ୍ରରେ ଯାଞ୍ଚ କରିବେ। ନିୟମ ଅନୁଯାୟୀ ବ୍ୟାଟ୍ର ମାପ ଠିକ୍ ଥିଲେ ହିଁ ଖେଳାଳି ତାହା ବ୍ୟବହାର କରିପାରିବେ।
ସୌରଭ ଗାଙ୍ଗୁଲିଙ୍କ କମିଟିର ସୁପାରିସକୁ ମଞ୍ଜୁରୀ
ରିପୋର୍ଟ ଅନୁସାରେ, ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଥିବା ICC କ୍ରିକେଟ୍ କମିଟି ଏହି ପ୍ରସ୍ତାବ ଦେଇଥିଲା। ବାଲିରେ ଅନୁଷ୍ଠିତ ICCର ସାମ୍ପ୍ରତିକ ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଏହାକୁ ଅନୁମୋଦନ କରିଛି। ଅମ୍ପାୟାରମାନଙ୍କୁ ନୂଆ ନିୟମ ସମ୍ପର୍କରେ ଆବଶ୍ୟକ ତାଲିମ ଓ ନିର୍ଦ୍ଦେଶ ଦିଆଯିବା ପରେ ଏହା ଅନ୍ତର୍ଜାତୀୟ କ୍ରିକେଟ୍ରେ ଲାଗୁ ହେବ।
କ'ଣ ଏହି ବ୍ୟାଟ୍ ଗେଜ୍ ନିୟମ?
ବ୍ୟାଟ୍ ଗେଜ୍ ହେଉଛି ଏକ ସ୍ୱତନ୍ତ୍ର ମାପ ଯନ୍ତ୍ର। ଏହା ମଧ୍ୟରେ ବ୍ୟାଟ୍କୁ ପ୍ରବେଶ କରାଇ ଏହାର ମୋଟେଇ, ଗଭୀରତା ଓ ଚଉଡ଼ା ନିର୍ଦ୍ଧାରିତ ସୀମା ମଧ୍ୟରେ ଅଛି କି ନାହିଁ ଯାଞ୍ଚ କରାଯାଏ। ବ୍ୟାଟ୍ ଯନ୍ତ୍ର ମଧ୍ୟରେ ସହଜରେ ପ୍ରବେଶ ନକଲେ ଖେଳାଳିଙ୍କୁ ଅନ୍ୟ ବ୍ୟାଟ୍ ଆଣିବାକୁ ପଡ଼ିବ। MCCର କ୍ରିକେଟ୍ ନିୟମ ଅନୁସାରେ ବ୍ୟାଟ୍ର ମାପ ପାଇଁ ନିର୍ଦ୍ଦିଷ୍ଟ ସୀମା ରହିଛି।
ବ୍ୟାଟ୍ର ଧାରର ମୋଟେଇ ସର୍ବାଧିକ ୧.୫୬ ଇଞ୍ଚ।
ବ୍ୟାଟ୍ର ଗଭୀରତା ସର୍ବାଧିକ ୨.୬୪ ଇଞ୍ଚ।
ବ୍ୟାଟ୍ର ଚଉଡ଼ା ସର୍ବାଧିକ ୪.୨୫ ଇଞ୍ଚ।
ଏହି ସୀମା ବାହାରେ ଥିବା ବ୍ୟାଟ୍କୁ ମ୍ୟାଚ୍ରେ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ।
IPLରେ ପୂର୍ବରୁ ଲାଗୁ ହୋଇସାରିଛି ନିୟମ
ଅନ୍ତର୍ଜାତୀୟ କ୍ରିକେଟ୍ରେ ଏହି ବ୍ୟବସ୍ଥା ନୂଆ ହୋଇଥିବା ବେଳେ IPLରେ ପୂର୍ବରୁ ବ୍ୟାଟ୍ ଗେଜ୍ ଯାଞ୍ଚ ଆରମ୍ଭ ହୋଇସାରିଛି। ମ୍ୟାଚ୍ ପୂର୍ବରୁ କେବଳ କିଛି ବ୍ୟାଟ୍ ଯାଞ୍ଚ କରିବା ବଦଳରେ ଖେଳାଳିଙ୍କ କିଟ୍ରେ ଥିବା ବ୍ୟାଟ୍ଗୁଡ଼ିକୁ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।