ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ହଟଚମଟ ସୃଷ୍ଟି କରିବାକୁ ଯାଉଛନ୍ତି। ଭାରତ ଓ ଚୀନ୍ ସମେତ ଅନେକ ଦେଶ ଉପରେ ଅଧିକ ଟାରିଫ୍ ବା ଆମଦାନୀ ଶୁଳ୍କ ଲାଗୁ କରିବା ନେଇ ଟ୍ରମ୍ପ ପ୍ରଶାସନ ବିଚାର କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ପଦକ୍ଷେପ ଲାଗୁ ହେଲେ ଅନ୍ତର୍ଜାତୀୟ ବାଣିଜ୍ୟ ସହ ଭାରତ ଓ ଚୀନ୍ ଭଳି ଦେଶର ରପ୍ତାନି ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ।
କାହିଁକି ଟାରିଫ୍ ବଢ଼ାଇବାକୁ ଚାହୁଁଛି ଆମେରିକା ?
'ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍'ର ଏକ ରିପୋର୍ଟ ଅନୁସାରେ, ବିଭିନ୍ନ ଦେଶ ନିଜ ଶିଳ୍ପକୁ ସରକାରୀ ସବସିଡି ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ନେଇ ଆମେରିକା ତଦନ୍ତ କରୁଛି। ଆମେରିକାର ଅଭିଯୋଗ ହେଉଛି, ଏଭଳି ସରକାରୀ ସହାୟତା ଯୋଗୁଁ କେତେକ ଦେଶରେ ଆବଶ୍ୟକତାଠାରୁ ଅଧିକ ଶିଳ୍ପ ଉତ୍ପାଦନ ହେଉଛି। ଏହାର ପରିଣାମରେ ସେହି ଦେଶଗୁଡ଼ିକର କମ୍ପାନୀ ବିଶ୍ୱ ବଜାରରେ କମ୍ ଦାମରେ ବିପୁଳ ପରିମାଣର ସାମଗ୍ରୀ ବିକ୍ରି କରିପାରୁଛନ୍ତି। ଫଳରେ ଆମେରିକାର ନିଜସ୍ୱ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ କ୍ଷତି ସହୁଥିବା ଟ୍ରମ୍ପ ପ୍ରଶାସନ ଦାବି କରୁଛି।
ଭାରତ, ଚୀନ୍ ସମେତ ଏହି ଦେଶଗୁଡ଼ିକ ହୋଇପାରନ୍ତି ପ୍ରଭାବିତ
ରିପୋର୍ଟ ଅନୁସାରେ, ଆମେରିକାର ବାଣିଜ୍ୟ ପ୍ରତିନିଧି (USTR) ଜେମିସନ୍ ଗ୍ରିଅର୍ ଏହି ତଦନ୍ତର ଫଳାଫଳ ଚଳିତ ସପ୍ତାହରେ ଘୋଷଣା କରିପାରନ୍ତି। ତେବେ ଘୋଷଣାର ସମୟ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ରହିଛି। ସମ୍ଭାବ୍ୟ ଟାରିଫ୍ ବୃଦ୍ଧି ତାଲିକାରେ ଚୀନ୍, ଜାପାନ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘର ୨୭ଟି ସଦସ୍ୟ ଦେଶ ସମେତ ଅନ୍ୟ ଦେଶଗୁଡ଼ିକ ରହିଥିବା ରିପୋର୍ଟରେ ଦାବି କରାଯାଇଛି। ତେବେ କେଉଁ ଦେଶ ଉପରେ କେତେ ପରିମାଣର ଶୁଳ୍କ ଲାଗୁ ହେବ, ସେନେଇ ଆମେରିକା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା କରାଯାଇନାହିଁ।
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ପଡ଼ିବ କି ପ୍ରଭାବ ?
ଟ୍ରମ୍ପ ପୂର୍ବରୁ ଭାରତ ଓ ଚୀନ୍ ସମେତ ଅନେକ ଦେଶ ଉପରେ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିଥିଲେ। ପରବର୍ତ୍ତୀ ସମୟରେ କିଛି ଶୁଳ୍କ ହ୍ରାସ କରାଯାଇଥିଲା। ଏବେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଚାଲିଥିବା ପରିପ୍ରେକ୍ଷୀରେ ନୂଆ ଟାରିଫ୍ ଯୋଜନାକୁ ନେଇ ଚିନ୍ତା ବଢ଼ିଛି।
ଯଦି ଭାରତ ଏହି ନୂଆ ଶୁଳ୍କ ନୀତିର ପରିସରକୁ ଆସେ, ତେବେ ଆମେରିକାକୁ ରପ୍ତାନି କରୁଥିବା ଭାରତୀୟ ଶିଳ୍ପ ଓ ବ୍ୟବସାୟ ଉପରେ ପ୍ରଭାବ ପଡ଼ିପାରେ। ବିଶେଷକରି ଉତ୍ପାଦନ ଓ ରପ୍ତାନି ସହ ଜଡ଼ିତ କ୍ଷେତ୍ରଗୁଡ଼ିକ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ।