ବାଂଲାଦେଶରେ ଶେଖ୍ ହସିନାଙ୍କ ପ୍ରସ୍ତାବିତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ରାଜନୈତିକ ଉତ୍ତେଜନା ବଢ଼ିଯାଇଛି। ନରୈଲରେ ବିଏନପିର ଦୁଇଜଣ ନେତାଙ୍କ ହତ୍ୟା ପରେ ୫୦ରୁ ଅଧିକ ଘର ଏବଂ ଅନେକ ଦୋକାନରେ ନିଆଁ ଲଗାଇ ଦିଆଯାଇଛି।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ଫେରିବା ଘୋଷଣା ପରେ ସମଗ୍ର ଦେଶ ପୁଣିଥରେ ହିଂସାର ନିଆଁରେ ଜଳି ଉଠିଛି। ଶନିବାର ନରୈଲ ଜିଲ୍ଲାରେ ହିଂସାକାଣ୍ଡ ଭଡ଼କି ଉଠିଥିଲା। କାଲିଆଠାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଦୁଇଜଣ ନେତାଙ୍କ ହତ୍ୟା ପରେ ଅତି କମରେ ୫୦ଟି ଘର ଏବଂ ଅନେକ ଦୋକାନକୁ ପୋଡ଼ି ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ଘରଗୁଡ଼ିକୁ ଟାର୍ଗେଟ କରାଯାଇଛି, ସେଗୁଡ଼ିକ ଆୱାମୀ ଲିଗ୍ ନେତା ଓ କର୍ମୀଙ୍କର ଥିଲା, ଯେଉଁଥିରେ ଦଳର ପୂର୍ବତନ ସାଂସଦ କବିରୁଲ ହକ୍ ମୁକ୍ତିଙ୍କ ଘର ମଧ୍ୟ ସାମିଲ ଅଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦେଶ ଫେରିବା ଯୋଜନା ପୂର୍ବରୁ ସମଗ୍ର ବାଂଲାଦେ ଶରେ ରାଜନୈତିକ ଉତ୍ତେଜନା ବଢ଼ିଥିବା ବେଳେ ଏହି ହିଂସା ଘଟିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ଆକ୍ରମଣ କାଲିଆ ମ୍ୟୁନିସିପାଲିଟି ଅନ୍ତର୍ଗତ ବେନ୍ଦର ଚାର୍ ଗ୍ରାମରେ ହୋଇଛି।
କାଲିଆ ଅଗ୍ନିଶମ ସେବା ଷ୍ଟେସନ ଅଧିକାରୀ ହୁମାୟୁନ କବୀର କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା, କିନ୍ତୁ ଅଞ୍ଚଳକୁ ଯାଇଥିବା ରାସ୍ତାଗୁଡ଼ିକରେ ଗଛ ପଡ଼ି ରହିଥିବାରୁ ସେମାନେ ତୁରନ୍ତ ଗ୍ରାମରେ ପହଞ୍ଚି ପାରିନଥିଲେ। ଅଗ୍ନିଶମ କର୍ମଚାରୀମାନେ ରାତି ପ୍ରାୟ ୮ଟା ବେଳେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଧିକାଂଶ ନିଆଁ ଲିଭିସାରିଥିଲା। ୫୦ରୁ ଅଧିକ ଘର ଜଳି ପାଉଁଶ ହୋଇଯାଇଛି। ବର୍ଦିଆ ବଜାରର ଅନେକ ଦୋକାନରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି।
ଆୱାମୀ ଲିଗ୍ ପୂର୍ବତନ ସାଂସଦଙ୍କ ଘରେ ଲାଗିଲା ନିଆଁ
କ୍ଷତିଗ୍ରସ୍ତ ସମ୍ପତ୍ତି ମଧ୍ୟରେ ପୂର୍ବତନ ସାଂସଦଙ୍କ ପୈତୃକ ଘର ଏବଂ ଅନେକ ସ୍ଥାନୀୟ ଆୱାମୀ ଲିଗ୍ ନେତାଙ୍କ ଘର ସାମିଲ ରହିଛି। ବର୍ତ୍ତମାନ ବାଂଲାଦେଶରେ ଆୱାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଆୱାମୀ ଲିଗ୍ ସଦସ୍ୟଙ୍କ କଥିତ ହିଂସା ବିରୋଧରେ ବିଏନପି ନେତାଙ୍କ ଦ୍ୱାରା ଆୟୋଜିତ ଏକ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣର କିଛି ଦିନ ପରେ ଏହି ହିଂସା ଦେଖିବାକୁ ମିଳିଛି। ଉକ୍ତ ଆକ୍ରମଣରେ ତିନି ଜଣ ଆହତ ହୋଇଥିଲେ। ଇତିମଧ୍ୟରେ, ବାଂଲାଦେଶ ଷ୍ଟୁଡେଣ୍ଟସ୍ ଲିଗ୍ ସଭାପତି ହୁସେନ୍ ସଦ୍ଦାମ ଏକ୍ସ (X) ରେ ଏକ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ ପୋଡ଼ି ଯାଇଥିବା ଘରଗୁଡ଼ିକ ଆୱାମୀ ଲିଗ୍ ସମର୍ଥକଙ୍କର ଥିଲା, ଯେଉଁମାନଙ୍କ ମଧ୍ୟରୁ ଅନେକ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଥିଲେ।
ବାଂଲାଦେଶ ମନ୍ତ୍ରୀ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ
ଅନ୍ୟପକ୍ଷରେ, ବାଂଲାଦେଶର ବୈଦେଶିକ ମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି ଯେ ନିକଟରେ ଘଟିଥିବା ପୋଡ଼ାଜଳା ଏବଂ ପେଟ୍ରୋଲ ବୋମା ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି, ସେମାନଙ୍କ ବିରୋଧରେ ବାଂଲାଦେଶ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଦେଶରେ ବଢ଼ୁଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏହି ହିଂସା ପାଇଁ ସେ ନିଷିଦ୍ଧ ଆୱାମୀ ଲିଗ୍ ସହ ଜଡ଼ିତ ଗୋଷ୍ଠୀଗୁଡ଼ିକୁ ଦାୟୀ କରିଛନ୍ତି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କବୀର କହିଛନ୍ତି ଯେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ବିଦେଶରେ ବସିଥିବା ବ୍ୟକ୍ତିଙ୍କ ସମେତ ଆୱାମୀ ଲିଗ୍ ନେତୃତ୍ୱ ଏହି ଆକ୍ରମଣକୁ ପ୍ରୋତ୍ସାହିତ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରୀ ବିଏସଏସ୍ (BSS) ନ୍ୟୁଜ୍ ଏଜେନ୍ସି ମୁତାବକ, ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ଆମେ ଏହି ଆତଙ୍କବାଦୀଙ୍କ ପଛରେ ଯିବୁ ଏବଂ ଆଇନର ଲମ୍ବା ହାତ ସେମାନଙ୍କ ପାଖରେ ନିଶ୍ଚୟ ପହଞ୍ଚିବ।”
ବିଦେଶରେ ବସିଥିବା ଲୋକେ ଭଡ଼କାଉଛନ୍ତି ହିଂସା… ମନ୍ତ୍ରୀଙ୍କ ଅଭିଯୋଗ
କବୀର ଅଭିଯୋଗ କରିଛନ୍ତି ଯେ ଆୱାମୀ ଲିଗ୍ ନେତୃତ୍ୱ ବିଦେଶରୁ ଆକ୍ରମଣକୁ ଉସୁକାଉଛି ଏବଂ ବିଦେଶରେ ବସିଥିବା ଅନ୍ୟ ଲୋକମାନେ ମଧ୍ୟ ହିଂସା ଭଡ଼କାଇବା ପ୍ରୟାସରେ ସାମିଲ ଅଛନ୍ତି। ବାଂଲାଦେଶରେ ରାଜନୈତିକ ହିଂସା ଓ ପୋଡ଼ାଜଳା ଘଟଣା ବଢ଼ୁଥିବା ବେଳେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆସିଛି।
‘ଢାକା ଟ୍ରିବ୍ୟୁନ୍’ ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହ ଆରମ୍ଭରେ ପୃଥକ ଘଟଣାରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଶାସକ ବିଏନପି ଓ ଏହାର ସହଯୋଗୀ ସଂଗଠନର ତିନି ଜଣ ନେତା ଏବଂ ଜଣେ ବସ୍ ହେଲପର ସାମିଲ ଅଛନ୍ତି। ଅଜ୍ଞାତ ଆକ୍ରମଣକାରୀମାନେ ଠିଆ ହୋଇଥିବା ବସରେ ନିଆଁ ଲଗାଇ ଦେବାରୁ ବସ୍ ହେଲପର ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
‘ଦ ଡେଲି ଷ୍ଟାର’ ରିପୋର୍ଟ ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟରେ କବୀର ନିଷିଦ୍ଧ ଆୱାମୀ ଲିଗକୁ ଏକ “ଆତଙ୍କବାଦୀ ସଂଗଠନ” ବୋଲି କହିବା ସହ ପେଟ୍ରୋଲ ବୋମା ଆକ୍ରମଣ, ପୋଡ଼ାଜଳା ଏବଂ ଅନ୍ୟାନ୍ୟ ହିଂସାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି।
ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରେ ଉତ୍ତେଜନା
ସୂଚନାଯୋଗ୍ୟ ଯେ ବାଂଲାଦେଶର ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ କାରଣ ପାଲଟିଛି। ଚଳିତ ମାସ ଆରମ୍ଭରେ ସରକାରଙ୍କ ଦ୍ୱାରା ତାଙ୍କର ନୂଆ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର (NID) ଅନୁରୋଧକୁ ଖାରଜ କରାଯିବା ପରେ ବାଂଲାଦେଶରେ ଅଶାନ୍ତିର ଏକ ନୂଆ ଲହର ଦେଖାଦେଇଛି।
ଡିସେମ୍ବରରେ ତାଙ୍କର ନିର୍ଦ୍ଧାରିତ ପ୍ରତ୍ୟାବର୍ତ୍ତନକୁ ସୁଗମ କରିବା ପାଇଁ ଆବଶ୍ୟକୀୟ ଦସ୍ତାବିଜ ମାଗିବାକୁ ହସିନାଙ୍କ ଓକିଲମାନେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ମିଶନ ସହ ଯୋଗାଯୋଗ କରିଥିଲେ। ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ପରେ ସେ ବାଂଲାଦେଶ ଛାଡ଼ି ପଳାୟନ କରିବା ଓ ତାଙ୍କ ସରକାରର ପତନ ହେବା ପରେ ଅନ୍ତରୀଣ ସରକାର ତାଙ୍କ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର ରଦ୍ଦ କରିଦେଇଥିଲେ।
ବାଂଲାଦେଶରେ ପୁଣି ଭଡ଼କିଲା ହିଂସା
ଏହାପରେ ଆୱାମୀ ଲିଗ୍ ତାଙ୍କର ପ୍ରତ୍ୟାବର୍ତ୍ତନ ଦାବିରେ ଏକ ସପ୍ତାହ ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଘୋଷଣା କରିଥିଲା, ଯାହା ୧୯ ନଭେମ୍ବରରେ ଦେଶବ୍ୟାପୀ ବନ୍ଦ ସହ ଶେଷ ହୋଇଥିଲା। ଏହି ବିକ୍ଷୋଭ ସମୟରେ ଅନେକ ଜିଲ୍ଲାରେ ପୋଡ଼ାଜଳା, ଦେଶୀ ବୋମା ଆକ୍ରମଣ ଏବଂ ସଂଘର୍ଷ ଘଟିଥିଲା। ଅଗଷ୍ଟ ୨୦୨୪ରେ ବାଂଲାଦେଶ ଛାଡ଼ିବା ପରଠାରୁ ହସିନା ଭାରତରେ ରହୁଛନ୍ତି। ତାଙ୍କର ପ୍ରତ୍ୟର୍ପଣ ଦୁଇ ଦେଶ ମଧ୍ୟରେ ବିବାଦର କାରଣ ହୋଇ ରହିଛି।
ଢାକା ଜୋର ଦେଇ କହିଛି ଯେ ହସିନା—ଯାହାଙ୍କୁ ନଭେମ୍ବର ୨୦୨୫ରେ ବିକ୍ଷୋଭକାରୀଙ୍କ ଉପରେ ୨୦୨୪ର କାର୍ଯ୍ୟାନୁଷ୍ଠାନକୁ ନେଇ ମାନବତା ବିରୋଧୀ ଅପରାଧ ପାଇଁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା—ତାଙ୍କୁ ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି (Extradition Treaty) ଅନୁଯାୟୀ ଭାରତରୁ ଫେରାଇ ଅଣାଯିବା ଉଚିତ, କୌଣସି ସାଧାରଣ ଯାତ୍ରୀ ଭାବେ ଫେରିବାକୁ ଦିଆଯିବା ଉଚିତ ନୁହେଁ। ଅନ୍ୟପକ୍ଷରେ, ହସିନା କହିଛନ୍ତି ଯେ ଡିସେମ୍ବରରେ ବାଂଲାଦେଶ ଫେରି କୋର୍ଟ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ ତାଙ୍କର ଇଚ୍ଛା ରହିଛି। ସେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।