ପେରୁ: ଚାରିଆଡ଼େ ଭୂମିକମ୍ପର ଆତଙ୍କ, ଦୋହଲିଲା ବିଲ୍ଡିଂ, ଥରିଲା ନ୍ୟୁଜ୍ ଷ୍ଟୁଡିଓ। ହେଲେ ଏତେ ବଡ଼ ବିପଦ ସମୟରେ ବି ନିଜ କର୍ତ୍ତବ୍ୟରୁ ହଟିଲେନି ଜଣେ ମହିଳା ନ୍ୟୁଜ୍ ଆଙ୍କର। ଷ୍ଟୁଡିଓ ଥରୁଥିବା ବେଳେ ମାଇକ୍କୁ ଦୃଢ଼ ଭାବେ ଧରି ନିଜର ଲାଇଭ୍ ରିପୋର୍ଟିଂ ଜାରି ରଖିଲେ। ଏହି ଦୃଶ୍ୟର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
୬.୯ ତୀବ୍ରତାର ଭୂମିକମ୍ପରେ ଦୋହଲିଲା ପେରୁ
ପେରୁର ଆଣ୍ଡିଜ୍ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୬.୯ ରେକର୍ଡ ହୋଇଥିବା ସୂଚନା ମିଳିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଜୁନିନ୍ଠାରୁ ପ୍ରାୟ ୩୪ କିଲୋମିଟର ଉତ୍ତରରେ ଥିଲା। ଭୂପୃଷ୍ଠଠାରୁ ପ୍ରାୟ ୧୦୮ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିଲା।
ଥରୁଥିଲା ଷ୍ଟୁଡିଓ, ତଥାପି ଅଟକିଲାନି ଆଙ୍କରଙ୍କ ସ୍ୱର
ଭୂମିକମ୍ପର ଝଟକା ପେରୁର ରାଜଧାନୀ ଲିମାରେ ମଧ୍ୟ ଅନୁଭୂତ ହୋଇଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିବା ବେଳେ ଏକ ଟେଲିଭିଜନ୍ ନ୍ୟୁଜ୍ ଷ୍ଟୁଡିଓରେ ଘଟିଥିଲା ଆଶ୍ଚର୍ଯ୍ୟଜନକ ଘଟଣା। ଭୂମିକମ୍ପରେ ଷ୍ଟୁଡିଓ ଦୋହଲିବା ସତ୍ତ୍ୱେ ମହିଳା ଆଙ୍କର ଜଣକ ନିଜକୁ ସମ୍ଭାଳି ମାଇକ୍ ଧରି ରିପୋର୍ଟିଂ ଜାରି ରଖିଥିଲେ। ତାଙ୍କର ଏହି ସାହସ ଓ କାର୍ଯ୍ୟପ୍ରତି ନିଷ୍ଠାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଏପର୍ଯ୍ୟନ୍ତ ମୃତାହତ ଖବର ନାହିଁ
ପେରୁର ଜିଓଫିଜିକାଲ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ବଡ଼ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ।
ରିଙ୍ଗ୍ ଅଫ୍ ଫାୟାର୍ରେ ରହିଛି ପେରୁ
ସୂଚନାଯୋଗ୍ୟ, ପେରୁ ପ୍ରଶାନ୍ତ ମହାସାଗରକୁ ଘେରି ରହିଥିବା 'ରିଙ୍ଗ୍ ଅଫ୍ ଫାୟାର୍' ଅଞ୍ଚଳରେ ଅବସ୍ଥିତ। ଏହି ଅଞ୍ଚଳରେ ଅନେକ ଆଗ୍ନେୟଗିରି ଓ ଭୂତାତ୍ତ୍ୱିକ ଫଲ୍ଟ ଲାଇନ୍ ଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ହୋଇଥାଏ। ଭୂମିକମ୍ପର ଭୟାବହତା ଭିତରେ ଆଙ୍କରଙ୍କ ଏହି ଅବିଚଳିତ ରିପୋର୍ଟିଂ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।