ନୂଆଦିଲ୍ଲୀ: ବୋତଲ ପାଣିର ଗୁଣବତ୍ତାକୁ ନେଇ ବିବାଦ ମଧ୍ୟରେ ସଫେଇ ରଖିଛି ବିସଲେରୀ ଇଣ୍ଟରନ୍ୟାସନାଲ। କମ୍ପାନୀ କହିଛି ଯେ, ଦେଶରେ ଥିବା ଏହାର ସମସ୍ତ ୧୪୩ଟି ଉତ୍ପାଦନ କେନ୍ଦ୍ର ଚାଲୁ ରହିଛି ଏବଂ FSSAIର ନିୟମ ଅନୁସାରେ କାର୍ଯ୍ୟ କରୁଛି।
କମ୍ପାନୀ ଅନୁସାରେ, ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ବିକ୍ରି ଉପରେ ରୋକ୍ କେବଳ ଗୋଆ ପ୍ଲାଣ୍ଟରେ ତିଆରି ହୋଇଥିବା ଗୋଟିଏ ବ୍ୟାଚ୍ ପାଇଁ ଲାଗୁ ହୋଇଛି। ଏହି ବ୍ୟାଚ୍ଟି ୨୭ ସେପ୍ଟେମ୍ବର ୨୦୨୫ରେ ପ୍ରସ୍ତୁତ ହୋଇଥିଲା। ଏହାର ବ୍ୟାଚ୍ ନମ୍ବର GO 270। କମ୍ପାନୀର ଦାବି ଅନୁସାରେ, ଏହି ବ୍ୟାଚ୍ର କୌଣସି ଷ୍ଟକ୍ ଏବେ ବଜାରରେ ନାହିଁ।
ଯାଞ୍ଚ ରିପୋର୍ଟକୁ ନେଇ ବିବାଦ
ଏହି ମାମଲାରେ ବ୍ରୋମେଟ୍ ଓ PAH ନାମକ ରାସାୟନିକ ପଦାର୍ଥକୁ ନେଇ ପ୍ରଶ୍ନ ଉଠିଥିଲା। ବିସଲେରୀ କହିଛି, ପୁନଃ ପରୀକ୍ଷାରେ ବ୍ରୋମେଟ୍ର ମାତ୍ରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଛି। ତେବେ ୬ଟି ନମୁନା ମଧ୍ୟରୁ ଗୋଟିଏରେ PAHର ମାତ୍ରା ୦.୧୪୪ ମାଇକ୍ରୋଗ୍ରାମ୍ ପ୍ରତି ଲିଟର ମିଳିଥିବା କମ୍ପାନୀ ସ୍ୱୀକାର କରିଛି। କମ୍ପାନୀ ଏହି ଯାଞ୍ଚ ରିପୋର୍ଟରେ ଅସଙ୍ଗତି ଥିବା ଦର୍ଶାଇ ପୁନଃ ପରୀକ୍ଷା ପାଇଁ ମଧ୍ୟ ଅନୁରୋଧ କରିଥିଲା।
ବିସଲେରୀ ଆହୁରି କହିଛି ଯେ, ଗୋଆ ପ୍ଲାଣ୍ଟ ବନ୍ଦ କରିବାକୁ FSSAI ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ପରବର୍ତ୍ତୀ ସମୟରେ ଉତ୍ପାଦିତ ପାଣିର ନମୁନା ଗୁଣବତ୍ତା ମାନଦଣ୍ଡ ପୂରଣ କରିଛି। ଏହି ମାମଲାରେ କମ୍ପାନୀ FSSAIକୁ ସହଯୋଗ ଜାରି ରଖିବ ବୋଲି କହିଛି।
Also Read: ଅଭିଯୋଗର ତିନି ଦିନ ପରେ ବି ମିଳିଲାନି ନ୍ୟାୟ, ସୋସିଆଲ ମିଡିଆରେ ଅସନ୍ତୋଷ ଝାଡିଲେ ଅଭିନେତ୍ରୀ