ନୂଆଦିଲ୍ଲୀ: ବାହାଘର ସିଜିନ୍ରେ ଦେଶର ଅର୍ଥନୀତିକୁ ମିଳିବ ବଡ଼ ବୁଷ୍ଟ। ଆଗାମୀ ୨୫ ଦିନରେ ସାରା ଦେଶରେ ହେବାକୁ ଯାଉଛି ପ୍ରାୟ ୫୨ ଲକ୍ଷ ବିବାହ। ନଭେମ୍ବର ୨୧ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିବାହ ଋତୁରେ ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ନେଇ ଆକଳନ କରିଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT)। ଅର୍ଥାତ୍ ପ୍ରତିଦିନ ହାରାହାରି ୨ ଲକ୍ଷରୁ ଅଧିକ ବାହାଘର ହେବାର ସମ୍ଭାବନା ରହିଛି।
୨୫ ଦିନରେ ୭.୫ ଲକ୍ଷ କୋଟିର କାରବାର
CAITର ଆକଳନ ଅନୁସାରେ, ଏହି ବିବାହ ଋତୁରେ କେବଳ ଗହଣା କିମ୍ବା ପୋଷାକ ନୁହେଁ, ବରଂ ହୋଟେଲ୍, କ୍ୟାଟରିଂ, ଟ୍ରାଭେଲ୍, ଇଭେଣ୍ଟ ମ୍ୟାନେଜମେଣ୍ଟ, ଡେକୋରେସନ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ କାରବାର ହେବ। ଏହି ଆକଳନ ୨୫ଟି ରାଜ୍ୟର ୩୦୦ରୁ ଅଧିକ ବ୍ୟବସାୟୀ ନେତା ଏବଂ ୫୫୦ଟି ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ପ୍ରସ୍ତୁତ କରାଯାଇଛି।
ଗହଣା କିଣାରେ ଖର୍ଚ୍ଚ ହେବ ୧.୨୦ ଲକ୍ଷ କୋଟି
ବିବାହ ଋତୁରେ ସବୁଠାରୁ ଅଧିକ କାରବାର ଗହଣା ଓ ମୂଲ୍ୟବାନ ଧାତୁ କ୍ଷେତ୍ରରେ ହେବା ନେଇ ଆକଳନ ହୋଇଛି।
- ଗହଣା ଓ ମୂଲ୍ୟବାନ ଧାତୁ: ୧.୨୦ ଲକ୍ଷ କୋଟି ଟଙ୍କା
- ପୋଷାକ ଓ ଗାର୍ମେଣ୍ଟସ୍: ୯୦ ହଜାର କୋଟି ଟଙ୍କା
- ଉପହାର ଓ ବିବାହ ସାମଗ୍ରୀ: ୩୭,୫୦୦ କୋଟି ଟଙ୍କା
- ଗ୍ରୋସରୀ ଓ ଖାଦ୍ୟ ସାମଗ୍ରୀ: ୩୭,୫୦୦ କୋଟି ଟଙ୍କା
- ଇଲେକ୍ଟ୍ରୋନିକ୍ସ ସାମଗ୍ରୀ: ୩୦ ହଜାର କୋଟି ଟଙ୍କା
- ଶୁଖିଲା ଫଳ ଓ ମିଠା: ୩୦ ହଜାର କୋଟି ଟଙ୍କା
- ଆସବାବପତ୍ର ଓ ଘରୋଇ ସାମଗ୍ରୀ: ୩୦ ହଜାର କୋଟି ଟଙ୍କା
କ୍ୟାଟରିଂରୁ ହୋଟେଲ୍, ସବୁଠି ଟଙ୍କା ବର୍ଷା
ବିବାହରେ ସେବା କ୍ଷେତ୍ରର କାରବାର ମଧ୍ୟ ବେଶ୍ ଆକର୍ଷଣୀୟ ରହିବ। କ୍ୟାଟରିଂ ବ୍ୟବସାୟରେ ପ୍ରାୟ ୭୫ ହଜାର କୋଟି ଟଙ୍କାର କାରବାର ହେବାକୁ ଥିବାବେଳେ ବିବାହ ମଣ୍ଡପ, ବ୍ୟାଙ୍କ୍ୱେଟ୍ ହଲ୍ ଓ ହୋଟେଲ୍ କ୍ଷେତ୍ରରେ ୬୦ ହଜାର କୋଟି ଟଙ୍କାର ବ୍ୟବସାୟ ହେବା ଆକଳନ କରାଯାଇଛି।
ସେହିପରି ଇଭେଣ୍ଟ ମ୍ୟାନେଜମେଣ୍ଟ, ଫୁଲ ସଜା ଓ ବିବାହ ଡେକୋରେସନ୍ରେ ୩୭,୫୦୦ କୋଟି ଟଙ୍କା ଲେଖାଏଁ କାରବାର ହୋଇପାରେ। ଟ୍ରାଭେଲ୍, ପରିବହନ, ସଙ୍ଗୀତ ଓ ମନୋରଞ୍ଜନ କ୍ଷେତ୍ରରେ ୩୦ ହଜାର କୋଟି ଟଙ୍କା ଲେଖାଏଁ ବ୍ୟବସାୟ ଆଶା କରାଯାଉଛି।
୧.୨୫ କୋଟି ଲୋକଙ୍କୁ ମିଳିବ ରୋଜଗାର
ଏହି ବିବାହ ଋତୁ କେବଳ ବ୍ୟବସାୟ ନୁହେଁ, ରୋଜଗାର କ୍ଷେତ୍ରରେ ମଧ୍ୟ ବଡ଼ ସୁଯୋଗ ଆଣିବ। CAITର ଆକଳନ ଅନୁସାରେ, କ୍ୟାଟରିଂ, ଡେକୋରେସନ୍, ଫଟୋଗ୍ରାଫି, ହୋଟେଲ୍, ପରିବହନ, ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ବ୍ୟୁଟି ସର୍ଭିସ୍ ଭଳି କ୍ଷେତ୍ରରେ ପ୍ରାୟ ୧.୨୫ କୋଟି ଅସ୍ଥାୟୀ ଓ ଆଂଶିକ ନିଯୁକ୍ତି ସୃଷ୍ଟି ହୋଇପାରେ।
ଦିଲ୍ଲୀ-NCRରେ ୫ ଲକ୍ଷ ବାହାଘର, ୨.୫ ଲକ୍ଷ କୋଟିର ବ୍ୟବସାୟ
ଏହି ବିବାହ ଋତୁରେ ଦିଲ୍ଲୀ-NCR ଅଞ୍ଚଳରେ ସବୁଠାରୁ ବଡ଼ ବ୍ୟବସାୟିକ କାରବାର ହେବା ନେଇ ଆକଳନ କରାଯାଇଛି। ଏଠାରେ ପ୍ରାୟ ୫ ଲକ୍ଷ ବିବାହ ହେବା ସହ ୨.୫ ଲକ୍ଷ କୋଟି ଟଙ୍କାର କାରବାର ହୋଇପାରେ। ଚାନ୍ଦନୀ ଚୌକ୍, ସଦର ବଜାର, କରୋଲ ବାଗ୍, ଲାଜପତ ନଗର ଓ ଅନ୍ୟାନ୍ୟ ବଜାରରେ ବ୍ୟବସାୟ ବଢ଼ିବା ଆଶା ରହିଛି।
ବର୍ଷକୁ ବର୍ଷ ବଢ଼ୁଛି ବିବାହ ବ୍ୟବସାୟ
CAIT ଦେଇଥିବା ତଥ୍ୟ ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ବିବାହ ବ୍ୟବସାୟର ଆକାର ବଢ଼ିଛି।
୨୦୨୨: ୩୨ ଲକ୍ଷ ବିବାହ, ୩.୭୫ ଲକ୍ଷ କୋଟି ଟଙ୍କାର କାରବାର
୨୦୨୩: ୩୮ ଲକ୍ଷ ବିବାହ, ୪.୭୪ ଲକ୍ଷ କୋଟି ଟଙ୍କାର କାରବାର
୨୦୨୪: ୪୮ ଲକ୍ଷ ବିବାହ, ୫.୯୦ ଲକ୍ଷ କୋଟି ଟଙ୍କାର କାରବାର
୨୦୨୫: ୪୬ ଲକ୍ଷ ବିବାହ, ୬.୫୦ ଲକ୍ଷ କୋଟି ଟଙ୍କାର କାରବାର
CAITର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲଙ୍କ ମତରେ, ବିବାହ ଉତ୍ସବ ବ୍ୟବସାୟୀ, ଉତ୍ପାଦକ, କାରିଗର, କ୍ଷୁଦ୍ର ଉଦ୍ୟୋଗ ଓ ସେବା ପ୍ରଦାନକାରୀଙ୍କୁ ଏକ ବଡ଼ ବଜାର ଯୋଗାଇଥାଏ।
ସେହିପରି ଭାରତୀୟ ଉତ୍ପାଦ ଓ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ସାମଗ୍ରୀ କିଣିବାକୁ CAIT ଗ୍ରାହକଙ୍କୁ ଆହ୍ୱାନ ଦେଇଛି। ଡିଜିଟାଲ୍ ନିମନ୍ତ୍ରଣ, ଅନଲାଇନ୍ ପେମେଣ୍ଟ, AI ଜରିଆରେ ବିବାହ ଯୋଜନା ଓ କଷ୍ଟମାଇଜ୍ ଉପହାର ଭଳି ନୂଆ ସୁବିଧା ମଧ୍ୟ ଏହି ବ୍ୟବସାୟକୁ ନୂଆ ଦିଗ ଦେଉଛି।