ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ପିଏଫ୍ ପାଣ୍ଠି ଉଠାଣ ଯୋଜନାରେ ବଡ଼ ପରିବର୍ତ୍ତନ କରିଛି । ଏଣିକି ବେସରକାରୀ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ମିଳିବ। ଆଉ ଏକାଥରକେ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ଟଙ୍କା ଉଠାଇବାକୁ ପଡ଼ିବ ନାହିଁ । ଅବସରପ୍ରାପ୍ତ କର୍ମଚାରୀ ପ୍ରତି ମାସରେ କିସ୍ତି ଆକାରରେ ନିଜର ପିଏଫ୍ ରାଶିକୁ ଉଠାଇ ପାରିବେ । ଇପିଏଫ୍ଓ ସିଷ୍ଟମେଟିକ୍ ଉଠାଣ ଯୋଜନା ବା ସିଷ୍ଟମେଟିକ୍ ୱିଥଡ୍ରାଲ୍ ପ୍ଲାନ୍ (SWP)କୁ ଅନୁମୋଦନ କରିଛି।
ଗୁରୁବାର ଦିନ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦିଆଯାଇଛି। ଏହା ଅଧୀନରେ, କର୍ମଚାରୀମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ ପ୍ରତି ମାସ, ତିନି ମାସ କିମ୍ବା ବର୍ଷରେ ଥରେ ପିଏଫ୍ ଟଙ୍କା ଉଠାଇପାରିବେ। ଖାଲି ସେତିକି ଆକାଉଣ୍ଟରେ ଥିବା ବଳକା ରାଶି ଉପରେ ମଧ୍ୟ ସୁଧ ମିଳିବା ଜାରି ରହିବ।
SWP ନିୟମ
ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଯଦି ଅବସରର ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରାଶି ଉଠାଣ କରାଯାଏ ନାହିଁ ତେବେ ଆକାଉଣ୍ଟଟି ନିଷ୍କ୍ରିୟ ହୋଇଯାଏ। କିନ୍ତୁ ନୂତନ SWP ଯୋଜନା ଅନୁଯାୟୀ କର୍ମଚାରୀମାନଙ୍କୁ ଆଉ ଏକାଥରେ ସମ୍ପୂର୍ଣ୍ଣ ରାଶି ଉଠାଇବାକୁ ପଡ଼ିବ ନାହିଁ। ନିୟମ ଅନୁଯାୟୀ, ୫୮ ବର୍ଷ ବୟସରେ ଅବସର ନେବା ପରେ କର୍ମଚାରୀମାନେ ସେମାନଙ୍କର ଇପିଏଫ୍ ବାଲାନ୍ସର ସମ୍ପୂର୍ଣ୍ଣ ରାଶି ଉଠାଇ ପାରିବେ। ଏହା ବ୍ୟତୀତ ଅତି କମରେ ୧୦ ବର୍ଷ ଚାକିରି ପୂରଣ କରିବା ପରେ, ସେମାନେ ଇପିଏସ ଅଧୀନରେ ମାସିକ ପେନସନ ମଧ୍ୟ ପାଇବେ।
ନୂତନ ଯୋଜନା ଅନୁଯାୟୀ, ଅବସରପ୍ରାପ୍ତ କର୍ମଚାରୀମାନେ ନିୟମିତ ବ୍ୟବଧାନରେ ସେମାନଙ୍କର ଜମା ହୋଇଥିବା ରାଶିର ଏକ ଅଂଶ ଉଠାଇ ପାରିବେ। କର୍ମଚାରୀମାନଙ୍କ ପାଖରେ ଅନେକ ଉଠାଣ ବିକଳ୍ପ ଅଛି। ସେମାନେ ମାସିକ, ତ୍ରୈମାସିକ କିମ୍ବା ବାର୍ଷିକ ପାଣ୍ଠି ଉଠାଣ କରିପାରିବେ। ସେମାନେ ସମ୍ପୂର୍ଣ୍ଣ ରାଶି କିସ୍ତିରେ ଉଠାଇପାରିବେ, କିଛି ଟଙ୍କା ଆଗୁଆ ଏବଂ ବାକି SWP ମାଧ୍ୟମରେ ଉଠାଇପାରିବେ, କିମ୍ବା କେବଳ ସୁଧ ରାଶି ଉଠାଇପାରିବେ। ନିଜ ଜରୁରୀ ମୁତାବକ ପିଏଫ ବାଲାନ୍ସରୁ ୯୦ ପ୍ରତିଶତ ଟଙ୍କା କାଢି ପାରିବେ ଏବଂ ବାକି ୧୦ ପ୍ରତିଶତ ଜମା ରହିବ। ଅବଶିଷ୍ଟ ରାଶି ଇପିଏଫ୍ ଆକାଉଣ୍ଟରେ ରହିବ ଏବଂ ଏହା ଉପରେ ସୁଧ ମିଳିବ । ବର୍ତ୍ତମାନ ଇପିଏଫ୍ ଉପରେ ସୁଧ ହାର ୮.୨୫% ରହିଛି ।
ଏହି ପଦକ୍ଷେପ ଦ୍ୱାରା ୫୫ ବର୍ଷରୁ ଅଧିକ ବୟସର ପ୍ରାୟ ୬.୩୨ ଲକ୍ଷ ସଦସ୍ୟ ଉପକୃତ ହେବେ ବୋଲି ଆଶା କରାଯାଉଛି । ଯେଉଁମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ଖାତାରେ ୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ରହିଛି।