ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଅନ୍ୟତମ Nvidia ଏବେ ନିଜର ଚିପ୍ କିମ୍ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବସାୟ ପାଇଁ ନୁହେଁ, ବରଂ ଏହାର CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ବିବାଦରେ। ନିଜ ବୈବାହିକ ଜୀବନରେ ବିଶ୍ୱାସ ଭାଙ୍ଗିଥିବା ସ୍ୱୀକାର କରି ସେ ପତ୍ନୀ, ପରିବାର ଓ କମ୍ପାନୀର କର୍ମଚାରୀଙ୍କୁ କ୍ଷମା ମାଗିଛନ୍ତି। ଅନ୍ୟପଟେ, ଚୀନ୍ର ଜଣେ ମହିଳା ବ୍ୟବସାୟୀଙ୍କ ସହ ତାଙ୍କ ସମ୍ପର୍କ ଏବଂ ଗୁଇନ୍ଦାଗିରି ଅଭିଯୋଗକୁ ନେଇ Nvidia ବୋର୍ଡ ସ୍ୱାଧୀନ ତଦନ୍ତ ଆରମ୍ଭ କରିଛି।
ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଲିସ୍ ହୁଆଙ୍ଗ ନାମକ ଜଣେ ଚୀନ୍ ସଂପୃକ୍ତ ବ୍ୟବସାୟୀ ମହିଳାଙ୍କ ଉପରେ ଚୀନ୍ ପାଇଁ ଗୁଇନ୍ଦାଗିରି କରିବାର ସନ୍ଦେହ ରହିଛି। ସେ ଜେନସେନ୍ ହୁଆଙ୍ଗଙ୍କ ନିକଟତର ଥିବା ଏବଂ ତାଙ୍କଠାରୁ ସମ୍ବେଦନଶୀଳ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗର ସତ୍ୟତା ଏଯାଏଁ ପ୍ରମାଣିତ ହୋଇନାହିଁ।
ପତ୍ନୀଙ୍କୁ ଧୋକା ଦେଇଥିବା ସ୍ୱୀକାର କଲେ CEO
ରଏଟର୍ସ ରିପୋର୍ଟ ଅନୁସାରେ, ଜେନସେନ୍ ହୁଆଙ୍ଗ ନିଜ କର୍ମଚାରୀଙ୍କୁ ଏକ ବାର୍ତ୍ତା ଦେଇ ପତ୍ନୀଙ୍କ ପ୍ରତି ଅବିଶ୍ୱସ୍ତ ରହିଥିବା ସ୍ୱୀକାର କରିଛନ୍ତି। ଏଥିପାଇଁ ସେ ପରିବାର ଓ ସହକର୍ମୀଙ୍କୁ କ୍ଷମା ମାଗିବା ସହ ନିଜ କାର୍ଯ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି।
ଏହି ଘଟଣା ପରେ Nvidia ବୋର୍ଡ ଏକ ସ୍ୱାଧୀନ ତଦନ୍ତ କମିଟି ଗଠନ କରିଛି। କମ୍ପାନୀର ସ୍ୱାଧୀନ ନିର୍ଦ୍ଦେଶକମାନଙ୍କ ଏକ କମିଟି ବାହ୍ୟ ଆଇନଗତ ପରାମର୍ଶଦାତାଙ୍କ ସହ ମିଶି ତଦନ୍ତର ତଦାରଖ କରିବେ।
କମ୍ପାନୀ ସ୍ପଷ୍ଟ କରିଛି ଯେ ଏଯାଏଁ ଏପରି କୌଣସି କାରଣ ମିଳିନାହିଁ, ଯାହାରୁ ଆମେରିକାର ଜାତୀୟ ସୁରକ୍ଷା କିମ୍ବା Nvidiaର ଗୋପନୀୟ ତଥ୍ୟ ଲିକ୍ ହୋଇଥିବା ଆଶଙ୍କା କରାଯାଇପାରେ। ହୁଆଙ୍ଗ ମଧ୍ୟ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ସେ CEO ଭାବେ ନିଜ ଦାୟିତ୍ୱ ଜାରି ରଖିବେ।