ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ବଡ଼ ବ୍ୟାଟେରୀ ସହ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି Vivo। କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ Vivo Y600ର ସବୁଠୁ ବଡ଼ ଆକର୍ଷଣ ହେଉଛି ଏହାର ୧୦,୦୦୦mAh ବ୍ୟାଟେରୀ। କମ୍ପାନୀର ଦାବି ଅନୁସାରେ, ଗୋଟିଏ ଥର ଚାର୍ଜ କଲେ ଏହି ଫୋନ୍ ଦୁଇ ଦିନ ପର୍ଯ୍ୟନ୍ତ ଚାଲିପାରିବ। ଏହି ଫୋନ୍କୁ ଚୀନ୍ ବଜାରରେ ଅକ୍ଟୋବର ୩୦ରେ ଲଞ୍ଚ କରାଯିବ।
୧୦,୦୦୦mAh ବ୍ୟାଟେରୀ, Guinness World Recordsର ଦାବି
Vivo Y600ର ବ୍ୟାଟେରୀ କ୍ଷମତା ଏହାର ମୁଖ୍ୟ ବିଶେଷତ୍ୱ। କମ୍ପାନୀ ଅନୁସାରେ, ଅଗଷ୍ଟ ୧୧, ୨୦୨୬ରେ ଏହି ଫୋନ୍କୁ ନେଇ ହୋଇଥିବା ଲାଇଭ୍ଷ୍ଟ୍ରିମିଂ ପରୀକ୍ଷଣରେ ୩୨ ଘଣ୍ଟା ୩୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ପରୀକ୍ଷଣକୁ ନେଇ କମ୍ପାନୀ Guinness World Recordsର ରେକର୍ଡ ହାସଲ କରିଥିବା ଦାବି କରିଛି।
ତେବେ ବାସ୍ତବ ବ୍ୟବହାରରେ ବ୍ୟାଟେରୀ କେତେ ସମୟ ଚାଲିବ, ତାହା ଫୋନ୍ ବ୍ୟବହାର, ନେଟୱର୍କ ଓ ସ୍କ୍ରିନ୍ ବ୍ରାଇଟ୍ନେସ୍ ଉପରେ ନିର୍ଭର କରିବ।
ଡିଜାଇନ୍ ଓ କ୍ୟାମେରାରେ କ’ଣ ରହିଛି ଖାସ୍?
କମ୍ପାନୀ ପକ୍ଷରୁ ସେୟାର କରାଯାଇଥିବା ପ୍ରମୋସନାଲ୍ ଫଟୋରେ Vivo Y600କୁ ଧଳା ଓ ବାଇଗଣୀ ରଙ୍ଗରେ ଦେଖିବାକୁ ମିଳିଛି। ଏଥିରେ ଫ୍ଲାଟ୍ ସାଇଡ୍ ଡିଜାଇନ୍ ସହ ପଛପଟେ ଉଠିଥିବା କ୍ୟାମେରା ମଡ୍ୟୁଲ୍ ରହିଛି। ଫୋନ୍ରେ ଡୁଆଲ୍ ରିୟର କ୍ୟାମେରା ସେଟ୍ଅପ୍ ଥିବାବେଳେ ମୁଖ୍ୟ କ୍ୟାମେରା ୫୦ ମେଗାପିକ୍ସେଲ୍ର ହେବ। ଦ୍ୱିତୀୟ କ୍ୟାମେରାର ବିବରଣୀ ଏଯାଏଁ ସାମ୍ନାକୁ ଆସିନାହିଁ।
Vivo V80 Lite ସହ ରହିଛି ସାମଞ୍ଜସ୍ୟ
Vivo Y600ର ଡିଜାଇନ୍ ମାଲେସିଆରେ ଲଞ୍ଚ ହୋଇଥିବା Vivo V80 Lite ସହ ଅନେକ ମାତ୍ରାରେ ମେଳ ଖାଉଛି। ତେବେ Y600 ଏହାର ରିବ୍ରାଣ୍ଡେଡ୍ ଭର୍ସନ୍ କିମ୍ବା ସମାନ ବିଶେଷତ୍ୱ ଥିବା ଫୋନ୍ କି ନୁହେଁ, ସେନେଇ କମ୍ପାନୀ ସ୍ପଷ୍ଟ କରିନାହିଁ।
V80 Liteରେ ୬.୮୩ ଇଞ୍ଚ୍ AMOLED ଡିସ୍ପ୍ଲେ, ୧୨୦Hz ରିଫ୍ରେସ୍ ରେଟ୍, MediaTek Dimensity 7300e ପ୍ରୋସେସର୍ ଏବଂ ୧୦,୦୦୦mAh ବ୍ୟାଟେରୀ ଭଳି ବିଶେଷତ୍ୱ ରହିଛି। କିନ୍ତୁ ଏହି ସମସ୍ତ ସ୍ପେସିଫିକେସନ୍ Vivo Y600ରେ ମିଳିବ ବୋଲି ଏଯାଏଁ ନିଶ୍ଚିତ ହୋଇନାହିଁ।
ଦାମ୍ କେତେ? ଭାରତରେ ହେବ କି ଲଞ୍ଚ?
Vivo Y600 ଅକ୍ଟୋବର ୩୦ରେ ଚୀନ୍ ବଜାରରେ ଲଞ୍ଚ ହେବ। ହେଲେ ଏହାର ଦାମ୍, RAM ଓ ଷ୍ଟୋରେଜ୍ ଭାରିଆଣ୍ଟ୍ ସମ୍ପର୍କରେ କମ୍ପାନୀ ଏଯାଏଁ କୌଣସି ସୂଚନା ଦେଇନାହିଁ। ଭାରତ ସମେତ ଅନ୍ୟ ଦେଶରେ ଏହି ଫୋନ୍ ଲଞ୍ଚ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ବଡ଼ ବ୍ୟାଟେରୀକୁ ଗୁରୁତ୍ୱ ଦେଉଥିବା ଗ୍ରାହକଙ୍କ ପାଇଁ Vivo Y600 ଏକ ଆକର୍ଷଣୀୟ ବିକଳ୍ପ ହୋଇପାରେ। ଏବେ ଏହାର ଦାମ୍ ଓ ପୂରା ସ୍ପେସିଫିକେସନ୍ ଘୋଷଣାକୁ ଅପେକ୍ଷା ରହିଛି।