ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଆହୁରି ବେଗଗାମୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଏକ ବଡ଼ ସଫଳତା। ମୁମ୍ବାଇରେ ଅନୁଷ୍ଠିତ 'ଇଣ୍ଡିଆ କେମ୍-୨୦୨୬' ସମ୍ମିଳନୀରେ ସଫଳ ଭାଗିଦାରୀ ପରେ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଗସ୍ତ କାଳରେ ଓଡ଼ିଶା ପ୍ରାୟ ୫୪ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବା ସହ ନିଜକୁ ଏକ ପ୍ରମୁଖ ଶିଳ୍ପ ହବ୍ ଭାବେ ପ୍ରତିଷ୍ଠିତ କରିପାରିଛି।
ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଇଦିନିଆ ମୁମ୍ବାଇ ଗସ୍ତ ସମୟରେ କେମିକାଲ ଓ ପେଟ୍ରୋ-କେମିକାଲ କ୍ଷେତ୍ରରେ ମୋଟ ୯ଟି ଏମଓୟୁ (MoU) ଏବଂ ୪ଟି ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ସ୍ୱାକ୍ଷରିତ ହୋଇଛି। ଏହି ସମସ୍ତ ପ୍ରସ୍ତାବ ମାଧ୍ୟମରେ ରାଜ୍ୟକୁ ସମୁଦାୟ ₹୫୩,୮୯୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାକୁ ଥିବାବେଳେ, ଏହାଦ୍ୱାରା ୨୦,୨୧୦ ଜଣଙ୍କ ପାଇଁ ନୂତନ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ହେବ।
ରାଜ୍ୟ ପାଇଁ ଆଉ ଏକ ବଡ଼ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବର୍ଷ ଏହି ଆନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଏବଂ ଶିଳ୍ପ ସଂସ୍ଥା FICCI ପକ୍ଷରୁ ସହମତି ପ୍ରକାଶ ପାଇଛି। ଫଳରେ ଆସନ୍ତା ବର୍ଷ ୨୦୨୭ ଅକ୍ଟୋବର ମାସରେ 'ଓଡ଼ିଶା କେମ୍-୨୦୨୭' ଅନୁଷ୍ଠିତ ହେବ, ଯାହା ରାଜ୍ୟର ଶିଳ୍ପ ପରିବେଶକୁ ଆହୁରି ମଜବୁତ୍ କରିବ।
ମୁମ୍ବାଇ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୫ଟି ଗୁରୁତ୍ୱପୂର୍ଣ୍ଣ ୱାନ୍-ଟୁ-ୱାନ୍ ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ସେ POSCO ଇଣ୍ଡିଆ, JSW, L&T ଭଳି ପ୍ରମୁଖ ଦେଶୀୟ କମ୍ପାନୀ ସହ ଆମେରିକା ଓ ୟୁରୋପୀୟ ୟୁନିଅନର ବିଭିନ୍ନ ଦେଶର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ।
ଏହି ଆଲୋଚନା ମାଧ୍ୟମରେ ନିବେଶକମାନେ ଓଡ଼ିଶାରେ ଉପଲବ୍ଧ ଶିଳ୍ପ ଅନୁକୂଳ ନୀତି, ଭିତ୍ତିଭୂମି ଓ ସୁବିଧା ସୁଯୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏହି କମ୍ପାନୀମାନଙ୍କର ପ୍ରବଳ ଆଗ୍ରହ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
କମ୍ପାନୀଗୁଡ଼ିକ ସହିତ ଏହି ସଫଳ ଆଲୋଚନା ପାଇଁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କର ଯଥେଷ୍ଟ ସହଯୋଗ ରହିଥିବା କହି ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାକୁ କେବଳ ଧାତୁଭିତ୍ତିକ (Metal-based) ନୁହେଁ, ବରଂ କେମିକାଲ, ପେଟ୍ରୋ-କେମିକାଲ ଓ ପ୍ଲାଷ୍ଟିକ୍ ଭଳି ସମସ୍ତ କ୍ଷେତ୍ରରେ ସମୃଦ୍ଧ କରି ଏକ ସମ୍ପୂର୍ଣ୍ଣ 'ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍' ଗଢ଼ିବା ହିଁ ତାଙ୍କ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ ଦୋହରାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଅଭିଯାନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ସମବାୟ, ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବହୁ ବିଧାୟକ ଏବଂ ବହୁସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ତାଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜଣାଇଥିଲେ।