ଭୁବନେଶ୍ୱର: ସୀମାନ୍ତ କୋଟିଆ ଗ୍ରାମପଞ୍ଚାୟତରେ ନିର୍ବାଚନ କରାଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଜ୍ଞପ୍ତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କୋରାପୁଟ ଜିଲ୍ଲାପାଳଙ୍କ ମାଧ୍ୟମରେ ଆନ୍ଧ୍ରପ୍ରଦେଶର ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ କୋର୍ଟ ଅବମାନନା ମାମଲା ରୁଜୁ କରାଯାଇଛି। ଏହି ମାମଲା ଆଜି ପଞ୍ଜୀକୃତ ହୋଇଥିବା ବେଳେ ଏହାର ନମ୍ବର ୬୬୭୨୭/୨୦୨୬ ରହିଛି।
କୋଟିଆ ଅଞ୍ଚଳରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଓଡ଼ିଶା ସରକାର ଦୃଢ଼ ଭାବେ ବିରୋଧ କରିଛନ୍ତି। ଗୋଟିଏ ଭୌଗୋଳିକ ସୀମାରେ ଦୁଇଟି ଭିନ୍ନ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ଜନପ୍ରତିନିଧି ରହିବା ଦ୍ୱାରା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ସହ ଅନ୍ୟାନ୍ୟ ସାମ୍ବିଧାନିକ ନିୟମାବଳୀର ଗୁରୁତର ଉଲ୍ଲଂଘନ ହେବ ବୋଲି ଓଡ଼ିଶା ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।
ଏହି କୋର୍ଟ ଅବମାନନା ଆବେଦନରେ ଆନ୍ଧ୍ରପ୍ରଦେଶର ଅନେକ ବରିଷ୍ଠ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଜି. ସାଇ ପ୍ରସାଦ, ରାଜ୍ୟ ନିର୍ବାଚନ କମିଶନର ଅନିଲ ଚନ୍ଦ୍ର ପୁନେଠା, ଗୃହ ସଚିବ କୁମାର ବିଶ୍ୱଜିତ୍, ପଞ୍ଚାୟତିରାଜ ସଚିବ ମୁତାଲା ରାଜୁ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଭି.ଆର୍.କେ. ତେଜା ଏବଂ ପାର୍ବତୀପୁରମ୍ ମନ୍ୟମ ଜିଲ୍ଲାପାଳ ଏନ୍.ପି. ରବିଶଙ୍କର ରେଡ୍ଡୀ ପ୍ରମୁଖ ସାମିଲ ଅଛନ୍ତି।
ଓଡ଼ିଶା ସରକାର ଏହି ମାମଲାରେ ସର୍ବୋଚ୍ଚ ଅଦାଲତରେ ନିଜର ଦୃଢ଼ ପକ୍ଷ ରଖିବେ ବୋଲି ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ନିର୍ବାଚନ ପାଇଁ ଜାରି କରିଥିବା ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ସପ୍ରମାଣ ଉଲ୍ଲଂଘନ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ଆୟୋଜନ ପାଇଁ ବିଜ୍ଞପ୍ତି ଜାରି କରି ସୁପ୍ରିମକୋର୍ଟଙ୍କ 'ସ୍ଥିତାବସ୍ଥା' (Status Quo) ଆଦେଶକୁ ଅବମାନନା କରିଛନ୍ତି। ଏହି ମାମଲା ମାଧ୍ୟମରେ କୋଟିଆରେ ନିର୍ବାଚନ ପ୍ରସଙ୍ଗ ଉପରେ ଆଇନଗତ ଲଢ଼େଇକୁ ଓଡ଼ିଶା ସରକାର ଆଗକୁ ନେଉଛନ୍ତି। ଏବେ ସୁପ୍ରିମକୋର୍ଟରେ ଏହି ମାମଲାର ଆଗାମୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।
ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ୧୯୩୬ ମସିହାରୁ କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଛି। ୧୯୬୮ ମସିହାରେ ଏହି ସୀମା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଅଦାଲତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ ମସିହାରେ ମାମଲାଟି ଖାରଜ ହୋଇଥିଲେ ସୁଦ୍ଧା ସ୍ଥିତାବସ୍ଥା ବଜାୟ ରଖିବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।