ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଖୋର୍ଦ୍ଧାର ଜଟଣୀ (ଇନଫୋଭ୍ୟାଲି-୨) ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନୂତନ ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିବେ।
ଅଫିସିଆଲ୍ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କର ଏହି ଏକଦିବସୀୟ ଗସ୍ତସୂଚୀ ସ୍ଥିର ହୋଇଛି।
୨୫ ତାରିଖ ଅପରାହ୍ନ ୪:୧୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବ।ଏହାପରେ ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୦୪:୩୫ରେ ଖୋର୍ଦ୍ଧାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ।
ଅପରାହ୍ନ ୪:୪୫ ରୁ ୫:୪୫: ଜଟଣୀସ୍ଥିତ ଆରବିଆଇ (RBI) କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହି ପ୍ରକଳ୍ପର ଲୋକାର୍ପଣ କରିବେ ଏବଂ ସେଠାରେ ପ୍ରାୟ ୧ ଘଣ୍ଟା ସମୟ ବିତାଇବେ। ଏହାପରେ ସନ୍ଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ସଡ଼କ ପଥରେ ପୁଣି ଭୁବନେଶ୍ୱର ବିମାନବନ୍ଦରକୁ ଫେରିଆସିବେ ଏବଂ ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମ ସ୍ଥଳରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୩୦୦ ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ ବୋଲି ସୂଚନା ମିଳିଛି ।