ଭୁବନେଶ୍ୱର : ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଅକ୍ଟୋବର ୨୭ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବ୍ୟାପକ ଭାବେ ବୃଦ୍ଧି ପାଇବ ଏବଂ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ପାଣିପାଗ ପ୍ରଣାଳୀ କହୁଛି ୨୭ ସନ୍ଧ୍ୟାରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବ। ୨୮ରୁ ବର୍ଷା ବଢ଼ିବ, କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷିବ। ଏପରିକି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ। ୨୮ ତାରିଖ ସକାଳେ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବ।
ସେହିପରି ଅକ୍ଟୋବର ୨୭ ତାରିଖ ପାଇଁ ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଜଗତସିଂହପୁର ଭଳି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଏବଂ ବିଜୁଳି ମାରିବାର ସମ୍ଭାବନା ରହିଛି।
ଅକ୍ଟୋବର ୨୮ ତାରିଖ ଦିନ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ ଏବଂ ରାଜ୍ୟର ଅଧିକାଂଶ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ଝଡ଼ ପବନ ହେବାର ପୂର୍ବାନୁମାନ କରାଯାଇଛି। ପବନର ବେଗ ବୃଦ୍ଧି ପାଇ ୭୦-୮୦ କିମି ପ୍ରତି ଘଣ୍ଟା ଏବଂ ଝଟକା ପବନର ବେଗ ୯୦-୧୦୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।
ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ଏବଂ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇ ସତର୍କ ରହିବାକୁ କୁହାଯାଇଛି।