ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିଛି। ଚାଷ ଓ ଚାଷୀଙ୍କ ସୁରକ୍ଷା ସହ ବାତ୍ୟା ପୂର୍ବ ପ୍ରସ୍ତୁତିର ସମୀକ୍ଷା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଥିବା ବେଳେ ବିଭିନ୍ନ ଜିଲ୍ଲାର ୨୫ ଜଣ କୃଷି ଅଧିକାରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଛନ୍ତି।
ଅନ୍ୟପଟେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ପ୍ରଣାଳୀଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି।
ପରବର୍ତ୍ତୀ ଦୁଇ ଦିନ ଅର୍ଥାତ୍ ୨୭ ଓ ୨୮ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ। ତେବେ ବାତ୍ୟାର ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ସମ୍ପର୍କିତ ଚୂଡ଼ାନ୍ତ ଆକଳନ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନିର୍ଭର କରିବ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚାଷ ଓ ଚାଷୀଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବର୍ଷା ଓ ପବନ ଯୋଗୁଁ ଫସଲର କ୍ଷୟକ୍ଷତି ଏଡ଼ାଇବା ସହ ଆବଶ୍ୟକ ପ୍ରସ୍ତୁତି ନେଇ କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରାଯାଉଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଅକ୍ଟୋବର ୨୪ରୁ ବଙ୍ଗୋପସାଗରର କେତେକ ଅଞ୍ଚଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିପାରେ। ୨୬ରୁ ୨୮ ତାରିଖ ମଧ୍ୟରେ ଉଚ୍ଚ ଜୁଆର ଓ ପ୍ରବଳ ପବନର ଆଶଙ୍କା ରହିଥିବାରୁ ସମୁଦ୍ରକୁ ଯିବା ନେଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ରାଜ୍ୟବାସୀଙ୍କ ନଜର ଏବେ ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍ ଉପରେ ରହିଛି।