ଭୁବନେଶ୍ୱର (ବ୍ୟୁରୋ): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବୃଦ୍ଧି ପାଇଛି। ବିଦେଶୀ ମଡେଲ୍ ଓ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ସହ ଭାରତୀୟ ପାଣିପାଗ ବିଭାଗ (IMD) ଏକମତ ହୋଇଛି। ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଶନିବାର ଅବପାତ ଏବଂ ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବ।
ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ବାତ୍ୟାର ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରଖାଯିବ।
ସମୁଦ୍ରରେ ୩ ଦିନ ରହି ଗୋଟାଇବ ବଳ: ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବାତ୍ୟା ସୃଷ୍ଟି ହେବା ପରେ ପ୍ରାୟ ୩ ଦିନ ସମୁଦ୍ର ମଧ୍ୟରେ ରହି ପ୍ରଚୁର ବଳ ଗୋଟାଇବ।
ଲାଣ୍ଡଫଲ୍ ସମୟ: ୨୭ ଓ ୨୮ ତାରିଖରେ ଅଧିକ ଘନୀଭୂତ ହୋଇ ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ (ବିଶାଖାପାଟଣାରୁ ଚିଲିକା ମଧ୍ୟରେ) ସ୍ଥଳଭାଗ ଛୁଇଁବ।
ପବନର ବେଗ: ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ କିମିରୁ ୧୪୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ମତ୍ସ୍ୟଜୀବୀଙ୍କୁ ସତର୍କତା: ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାକୁ ଥିବାରୁ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଶନିବାର ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୭ରୁ ୨୯ ପ୍ରବଳରୁ ଅତିପ୍ରବଳ ବର୍ଷା: ଜାରି ହେଲା ରେଡ୍ ଓ ଅରେଞ୍ଜ ଆଲର୍ଟ
୨୬ ତାରିଖରୁ ଉପକୂଳ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହେବ। ୨୭ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି:
୨୭ ଅକ୍ଟୋବର:
ରେଡ୍ ଆଲର୍ଟ: ପୁରୀ, ଗଞ୍ଜାମ, ଗଜପତି।
ଅରେଞ୍ଜ ଆଲର୍ଟ: ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର।
୨୮ ଅକ୍ଟୋବର (ଲାଣ୍ଡଫଲ୍ ଦିନ):
ରେଡ୍ ଆଲର୍ଟ: ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ।
ଅରେଞ୍ଜ ଆଲର୍ଟ: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା।
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଛୁଟି ବାତିଲ: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ପୂର୍ବରୁ ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗର୍ଭବତୀ ମହିଳାଙ୍କ ସ୍ଥାନାନ୍ତର: ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ନିକଟସ୍ଥ ମେଡିକାଲ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ଆଗୁଆ ସ୍ଥାନାନ୍ତର କରାଯିବ। ରାଜ୍ୟ ସରକାର Zero Casualty ନୀତି ଆପଣାଇ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାର୍ତ୍ତା:
"ରାଜ୍ୟ ସରକାର ସମସ୍ତ ପ୍ରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଲୋକମାନେ ଆତଙ୍କିତ ନ ହୋଇ ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ ଗୁଜବରୁ ଦୂରେଇ ରହି କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ।"