କେନ୍ଦୁଝର: ବୈତରଣୀ ନଦୀ ପଠାରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଯୋଡ଼ା ଥାନା ଇଙ୍ଗାନୀଝରଣ ନିକଟସ୍ଥ ପିଛଲା ଘାଟ ବୈତରଣୀ ନଦୀ କୂଳରୁ ଦୁଇଟି ମୃତ ଦେହ ମିଳିଛି । ଜଣଙ୍କର ପାଣିରେ ବୁଡ଼ିବା ଯିବଲାଗି ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ଚିହ୍ନଟ ହୋଇଥିବା ମୃତକ ଜଣକ ହେଲେ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ପେଣ୍ଠେଇ ବସ୍ତିର ସନାତନ ପେଣ୍ଠେଇ (୪୫) । ଗତ ବୁଧବାର ଦିନ ସନାତନ ସାଙ୍ଗମାନଙ୍କ ସହ ଗୁରୁବେଡ଼ା ସ୍ଥିତ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜା ଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ମିଳିନ ଥିଲା । ସ୍ଥାନୀୟ ଲୋକେ ଆଜି ନଦୀ ପଠାରେ ମୃତ ଦେହ ଭାସୁଥିବାରୁ ପୋଲିସକୁ ସୂଚନା ଦେଇଥିଲେ । ମୃତଦେହଟି ପାଣିରେ ଫୁଲିବା ଯୋଗୁଁ ଭାସି ଆସି କୂଳରେ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିବା ପରେ ତାହା ସନାତନଙ୍କର ବୋଲି ଜଣାପଡ଼ିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ଅନ୍ୟପକ୍ଷରେ ବୈତରଣୀ ନଦୀର ଅନ୍ୟ ଏକ ସ୍ଥାନରେ ଆଉ ଗୋଟିଏ ଅଜଣା ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଛନ୍ତି । ତାଙ୍କର ଦୁଇ ହାତ ପଛପଟକୁ ବନ୍ଧା ହୋଇଛି । ଏହା ଶରୀରଟି ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହିଛି । ନଦୀ କୂଳର ପଥର ଚଟାଣରେ ରକ୍ତର ଛିଟା ଏବଂ ପୋଡ଼ା ପାଉଁଶ ପଡ଼ିଥିବା ଦେଖିବାକୁ ମିଳିଛି । ତେଣୁ ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ମୃତ ଦେହଟି କାହାର ତାହା ସ୍ପଷ୍ଟ ହୋଇ ନାହିଁ । ଯୋଡ଼ା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି ।