ଭୁବନେଶ୍ୱର: ପୁଣି ଥରେ ଅକ୍ଟୋବର ମାସ ବାତ୍ୟା ଭୟ ସୃଷ୍ଟି କରିଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଶୁକ୍ରବାର ସକାଳ ୫ଟା ୩୦ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଲଘୁଚାପ ସୃଷ୍ଟି ହେବା ପରେ ଘଣ୍ଟା ପ୍ରତି ପବନର ବେଗ ୩୫ ରୁ ୫୫ କିଲୋମିଟର ଓ ଝଟକା ପବନର ବେଗ ୫୫ କିଲୋମିଟର୍ ହୋଇପାରେ ।
ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇ ନାହିଁ । କିନ୍ତୁ ୨୮ ଓ ୨୯ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବା ନେଇ ଆକଳନ କରାଯାଇଛି । କିନ୍ତୁ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ବିଭିନ୍ନ ପାଣିପାଗ ମଡେଲ୍ ପୂର୍ବାନୁମାନ କରିଛନ୍ତି । ଆସନ୍ତା ୨୬ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବା ବାତ୍ୟାରେ ପରିଣତ ହୋଇପାରେ । ଏହା ଆହୁରି ଗୋଟିଏ ଦିନ ସମୁଦ୍ରରେ ରହିବ । ଏହା ଯେତେ ଅଧିକ ସମୟ ସମୁଦ୍ରରେ ରହିବା, ସେତେ ବଳ ଗୋଟାଇ ଶକ୍ତିଶାଳୀ ହେବ । ପରେ ଏହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ବୋଲି ବୈଦେଶିକ ପାଣିପାଗ ମଡେଲ୍ ଗୁଡ଼ିକ ପୂର୍ବାନୁମାନ କରିଛି ।
ଆସନ୍ତା ୨୮ ତାରିଖ ସକାଳେ ଆନ୍ଧ୍ରର କାକିନାଡାରେ ସ୍ଥଳଭାଗ ଛୁଇଁ ପାରେ । ଏହା ଦ୍ୱାରା ଦକ୍ଷିଣ ଓଡ଼ିଶା ମଧ୍ୟ ପ୍ରଭାବିତ ହୋଇପାରେ । ତେବେ ଏ ନେଇ ଆଇଏମଡିର ଆନୁଷ୍ଠାନିକ ସୂଚନାକୁ ଅପେକ୍ଷା କରାଯାଇଛି ।