ତିଦ୍ଦତ : ଗୁରୁବାର ବିଳମ୍ବିତ ରାତିରେ ଚୀନର ସ୍ୱାୟତ୍ତ ଅଞ୍ଚଳ ତିବ୍ଦତରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପ ଯୋଗୁଁ ଅତିକମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣରୁ ଅଧିକ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୦ ରହିଥିଲା ।
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ତିବ୍ଦତର ନାଗକୁ ସହରର ବାଚେନ କାଉଣ୍ଟି ଅନ୍ତର୍ଗତ ମାରୁ ଟାଉନସିପ୍ରେ ଥିଲା, ଯାହା ରାଜଧାନୀ ଲାସାରୁ ପ୍ରାୟ ୩୯୦-୪୦୦କିଲୋମିଟର ଦୂରରେ ଅବସ୍ଥିତ । ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଝଟକା ସୃଷ୍ଟି ହୋଇଥିଲା ।
ଭୂକମ୍ପ ଯୋଗୁଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରାୟ ୩୩୯ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି ଏବଂ ଅନେକ ସ୍ଥାନରେ ବିଦ୍ୟୁତ ଓ ଯୋଗାଯୋଗ ସେବା ବିଚ୍ଛିନ୍ନ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ସ୍ଥାନୀୟ ପ୍ରଶାସନ ପକ୍ଷରୁ 'ଲେଭଲ୍-୨' ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଏବଂ ଶତାଧିକ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବାସହୀନ ହୋଇପଡ଼ିଥିବା ଲୋକଙ୍କ ପାଇଁ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଉଛି ।