ବିବାଦୀୟ ଆବେଇ ଅଞ୍ଚଳର ଏକ ପ୍ରମୁଖ ବଜାରରେ ସୁଦାନ ସେନା ପକ୍ଷରୁ ଭୟଙ୍କର ଡ୍ରୋନ୍ ଆକ୍ରମଣ କରାଯାଇଛି। ସୋମବାର ମଧ୍ୟାହ୍ନ ସମୟରେ ଘଟିଥିବା ଏହି ରକ୍ତପାତରେ ୧୫୦ରୁ ଅଧିକ ନିରୀହ ଲୋକଙ୍କ ଜୀବନ ଯାଇଛି। ଏହି ଆକ୍ରମଣରେ ଅନେକ ଛୋଟ ଶିଶୁ ଏବଂ ବୃଦ୍ଧଙ୍କୁ ଟାର୍ଗେଟ୍ କରାଯାଇଥିବା ସୂଚନା ମିଳିଛି।
ଭୟାନକ ରୂପ ନେଉଛି ମୃତ୍ୟୁସଂଖ୍ୟା
ଆବେଇର କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ୟୋହାନା ଆକୋଲ୍ ଙ୍ଗୋର୍ ମଙ୍ଗଳବାର ଦିନ ସୂଚନା ଦେଇ କହିଛନ୍ତି ଯେ, ଏହି ଆକ୍ରମଣରେ ମୃତ୍ୟୁସଂଖ୍ୟା ୭୩ ରୁ ହଠାତ୍ ୧୫୩ କୁ ବୃଦ୍ଧି ପାଇଛି। ଏହି ନୃଶଂସ ଆକ୍ରମଣ ପାଇଁ ସେ ସୁଦାନର ସେନାବାହିନୀକୁ ସୀଧାସଳଖ ଦାୟୀ କରିଛନ୍ତି। ଅନ୍ୟପଟେ, ଏହି ଅଭିଯୋଗ ଉପରେ ସୁଦାନ ସଶସ୍ତ୍ର ବାହିନୀର ମୁଖପାତ୍ରଙ୍କ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଇନ୍ଧନ ଡିପୋ ଥିଲା ଟାର୍ଗେଟ୍
କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଜାରରେ ଅବସ୍ଥିତ ଏକ ଇନ୍ଧନ ଡିପୋ (Fuel Depot) କୁ ଲକ୍ଷ୍ୟ କରି ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଡିପୋରେ ନିଆଁ ଲାଗିବା କାରଣରୁ ନିଆଁର ଭୟାବହତା ବୃଦ୍ଧି ପାଇଥିଲା, ଯାହା ଫଳରେ ବଜାରରେ ଥିବା ବହୁ ସଂଖ୍ୟକ ସାଧାରଣ ନାଗରିକ ଏହାର ଶିକାର ହୋଇଥିଲେ।
ପୂର୍ବ ମାଲିରେ ଆଇଏସ୍ଆଇଏସ୍ (ISIS) ଆତଙ୍କବାଦୀଙ୍କ ଆକ୍ରମଣ
ଅନ୍ୟପଟେ ଆସୋସିଏଟେଡ୍ ପ୍ରେସ୍ (AP) ର ରିପୋର୍ଟ ଅନୁଯାୟୀ, ସପ୍ତାହାନ୍ତରେ ପୂର୍ବ ମାଲିର ମେନାକା ଅଞ୍ଚଳରେ ଆଇଏସ୍ଆଇଏସ୍ ସଂଯୁକ୍ତ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏହି ପୃଥକ୍ ଆକ୍ରମଣରେ ୪୮ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଅନେକ କୋମଳମତି ଶିଶୁ ଏବଂ ବୃଦ୍ଧବୃଦ୍ଧା ସାମିଲ ଅଛନ୍ତି।