ନୂଆଦିଲ୍ଲୀ: ବିଶ୍ୱରେ ଏବେ ଆନ୍ଦୋଳନର ନିଆଁ ଜଳୁଛି । ବଡ଼ ବଡ଼ ଦେଶରେ ଜେନ୍-ଜି ପୀଢ଼ି ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ଖୋଲାଖୋଲି ରଣ ହୁଁକାର ଦେଉଛନ୍ତି । ଶିକ୍ଷା, ନିଯୁକ୍ତି, ଦର ବୃଦ୍ଧି ଭଳି ସମସ୍ୟାକୁ ନେଇ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ଯାହା ଏବେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏହା ସମ୍ପୃକ୍ତ ଦେଶର ସରକାରଙ୍କ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି ।
ଭାରତ, ୟୁରୋପ, ଆମେରିକା, ଆର୍ଜେଣ୍ଟିନା, ଫ୍ରାନ୍ସ, ଇଟାଲୀ, ତୁର୍କୀ, ପର୍ତ୍ତୁଗାଲ ଏବଂ ଅଲବାନିୟାରେ ଇତ୍ୟାଦି ଦେଶରେ ଆନ୍ଦୋଳନର ବହ୍ନି ଜଳୁଛି । ଫ୍ରାନ୍ସରେ ଆନ୍ଦୋଳନର ଦୁଇଟି ପ୍ରମୁଖ ପ୍ରସଙ୍ଗ ରହିଛି ଯଥା ଦରବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥା । ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଯାହା ସାଧାରଣ ଜୀବନ ଉପରେ ବଡ଼ ପ୍ରଭାବ ପକାଉଛି । ସେହିପରି ଶିକ୍ଷା ବ୍ୟବସ୍ଥାର ଶୌଚନୀୟ ଅବସ୍ଥା । ଗତ ମାସରେ ପ୍ୟାରିସରେ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା ଯାହା ଏବେ ହିଂସା ଅଭିମୁଖେ ଅଗ୍ରସର ହେଉଛି । ସାଢ଼େ ପାଞ୍ଚ ଲକ୍ଷ ଲୋକ ବିକ୍ଷୋଭରେ ସାମିଲ ହୋଇଥିବା ଫ୍ରାନ୍ସର ମନ୍ତ୍ରୀ ଲୋରେଣ୍ଟ ନୁନେଜ କହିଛନ୍ତି ।
ପଡ଼ୋଶୀ ଦେଶ ବେଲଜିୟମରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଉଚ୍ଚ ଶିକ୍ଷା ମୂଲ୍ୟ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ପର୍ତ୍ତୁଗାଲର ରାଜଧାନୀ ଲିସବନରେ, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, କମ୍ ମଜୁରୀ ଏବଂ ସୁଲଭ ମୂଲ୍ୟରେ ଘର ପାଇବାରେ ଅସୁବିଧା ବିରୋଧରେ ହଜାର ହଜାର ଲୋକ ଶୋଭାଯାତ୍ରା କରିଛନ୍ତି । ୨୦୧୭ ମସିହାରୁ ଲିସବନ ଏବଂ ଅନ୍ୟାନ୍ୟ ସହରରେ ସମ୍ପତ୍ତିର ମୂଲ୍ୟ ଦୁଇଗୁଣରୁ ଅଧିକ ହୋଇଯାଇଛି ଏବଂ ଘର ଭଡ଼ାରେ ମଧ୍ୟ ପ୍ରବଳ ବୃଦ୍ଧି ଘଟିଛି। ଏହା କମ୍ ଆୟ କରୁଥିବା ପରିବାର ଏବଂ ଯୁବ କର୍ମଜୀବୀମାନଙ୍କ ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରିଛି।
ସେହିପରି ଇଟାଲୀ ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଛି । ମିଲାନରେ, ଲୋକମାନେ ବେତନ ବୃଦ୍ଧି ଦାବି, ମୁଦ୍ରାସ୍ଫୀତି ଏବଂ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ବହନ କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦିଓ ଫ୍ରାନ୍ସ ତୁଳନାରେ ଇଟାଲୀରେ ହୋଇଥିବା ଏହି ବିକ୍ଷୋଭଗୁଡ଼ିକ କମ୍ ବ୍ୟାପକ ଥିଲା।
ଆଲବାନିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟଗୁଡ଼ିକର ଶୋଚନୀୟ ଅବସ୍ଥା, ଶିକ୍ଷା ପାଇଁ ଅତ୍ୟଧିକ ଖର୍ଚ୍ଚ ଏବଂ ପାଠପଢ଼ା ସମାପ୍ତ ହେବା ପରେ ନିଯୁକ୍ତି ସୁଯୋଗର ଅଭାବ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି। ଅକ୍ଟୋବର ୧୩ ତାରିଖରେ, ତିରାନା ସ୍ଥିତ ଶିକ୍ଷା ମନ୍ତ୍ରଣାଳୟ ବାହାରେ ଚାଲିଥିବା ଏକ ବିକ୍ଷୋଭ ସେତେବେଳେ ହିଂସାତ୍ମକ ହୋଇଉଠିଲା ଯେତେବେଳେ ଛାତ୍ରଛାତ୍ରୀମାନେ କୋଠା ଉପରକୁ ଇଟା ଓ କଂକ୍ରିଟ୍ ଖଣ୍ଡ ଫିଙ୍ଗିଥିଲେ । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ତୁର୍କୀରେ ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଆର୍ଜେଣ୍ଡିନାରେ ବଜେଟ୍ କାଟଛାଟକୁ ନେଇ ଲୋକେ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ଆର୍ଜେଣ୍ଟିନାରେ ଟ୍ରେଡ୍ ୟୁନିଅନ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଥିଲା । କାଁ ଭାଁ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା ।
ଆମେରିକାରେ ରାଷ୍ଟ୍ରପତି ଡୋନାନ୍ଡ ଟ୍ରମ୍ପଙ୍କ ବିରୋଧରେ ନୋ କିଂଗ୍ସ ନେଟୱାର୍କ ଶୋଭାଯାତ୍ରା କରିଛି । ଏହାର ଉଦ୍ଦେଶ୍ୟ ଥିଲା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଲୋକମାନଙ୍କୁ ଶୀଘ୍ର ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା। ଯଦିଓ ଏହାକୁ 'ନିରପେକ୍ଷ' (କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନୁହେଁ) ବୋଲି କୁହାଯାଇଥିଲା, ବାସ୍ତବରେ ଏହା ଟ୍ରମ୍ପଙ୍କ ନୀତିରେ ଅସନ୍ତୁଷ୍ଟ ଥିବା ଲୋକଙ୍କ ଦ୍ୱାରା ଦୁଇ ବର୍ଷ ଧରି ଚାଲିଆସୁଥିବା ପ୍ରତିବାଦ ଲହରୀର ଏକ ଅଂଶ ଥିଲା।
ସେହିପରି ଶେଷରେ ଭାରତରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ପ୍ରଥମେ ନିଟ୍ ପ୍ରବେଶିକା ପରୀକ୍ଷାକୁ ନେଇ ଶିକ୍ଷା ବିଭାଗରେ ଏକ ବଡ଼ ପ୍ରଦର୍ଶନ ହୋଇଥିଲା । ଏହା ପରେ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ମଧ୍ୟ ଆନ୍ଦୋଳନ ଜାରି ରହିଛି । ଭାରତ ସରକାର ଏହାର ମୁକାବିଲା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।