ପାକିସ୍ତାନରେ ଭୟଙ୍କର ରେଳ ଦୁର୍ଘଟଣା। ଭୋର୍ ସମୟରେ ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ ରେହମାନ ବାବା ଏକ୍ସପ୍ରେସ୍। ଏହି ଦୁର୍ଘଟଣାରେ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୩୦ ଜଣ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳର ଅପରେସନ୍ ଜାରି ରହିଛି।
ମଙ୍ଗଳବାର ସକାଳ ପ୍ରାୟ ୫ଟା ୧୫ ମିନିଟ୍ରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମୁଲତାନର ଶେର ଶାହ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। କରାଚୀରୁ ପେଶାୱର ଯାଉଥିବା ଟ୍ରେନ୍ଟି ହଠାତ୍ ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ମୁଲତାନର ନିଷ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଓ ନ୍ୟୁଜ୍ ଅନୁସାରେ, ୧୩ଟି ବଗିରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବାବେଳେ ଆଉ ଏକ ବଗିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା।
ଏହି ଦୁର୍ଘଟଣା ପରେ ଟ୍ରେନ୍ର ରକ୍ଷଣାବେକ୍ଷଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଟ୍ରେନ୍ର ନବମ ବଗିର ନଟ୍ ଓ ବୋଲ୍ଟ ରୋହରୀ ନିକଟରେ ମରାମତି କରାଯାଇଥିବା ଜଣେ ଯାତ୍ରୀ ଦାବି କରିଛନ୍ତି। ତେବେ ଏହି ଦାବିର ସ୍ୱତନ୍ତ୍ର ଯାଞ୍ଚ ହୋଇନାହିଁ। ମରାମତି ଓ ଦୁର୍ଘଟଣା ମଧ୍ୟରେ ସମ୍ପର୍କ ଅଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଘଟଣାରେ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ବିଳମ୍ବ ନକରି ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ମଧ୍ୟ ସେ ଅଧିକାରୀଙ୍କୁ କହିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ପାକିସ୍ତାନ ରେଳବାଇ ଓ ସମ୍ପୃକ୍ତ ଅଧିକାରୀଙ୍କ ତଦନ୍ତ ପରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।