ସାଉଦି ଆରବର ରିୟାଦ୍ ବିମାନବନ୍ଦର ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ରାଜଧାନୀ ରିଆଦରେ ଥିବା କିଙ୍ଗ୍ ଖାଲିଦ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ହମଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୩ଶହରୁ ଅଧିକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଗତକାଲି ଏହି ହମଲା ହୋଇଥିଲା। ରିୟାଦରେ ଥିବା ଆମେରିକା ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଆକ୍ରମଣ ହୋଇଥିବା ନେଇ ସ୍ପଷ୍ଟ କରିଛି । ଏୟାରପୋର୍ଟ ଠାରୁ ଆମେରିକାର ନାଗରିକଙ୍କୁ ଦୂରେଇ ରହିବାକୁ କହିଛି ଆମେରିକା ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ। ସପ୍ତାହକ ମଧ୍ୟରେ ରିୟାଦ ଏୟାରପୋର୍ଟରେ ଉପରେ ଏହା ହେଉଛି ତୃତୀୟ ହମଲା। ଏହାପରେ ବିମାନବନ୍ଦରରୁ ଯାତ୍ରୀଙ୍କୁ ଖାଲି କରାଯିବା ସହ ବିମାନ ଚଳାଚଳ ବନ୍ଦ ରହିଛି। ଗୁରୁବାର ଆକ୍ରମଣରେ ତିନି ଜଣ ସାଉଦି ନାଗରିକଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ଏକ ସାଉଦି ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ୟେମେନରେ ସକ୍ରିୟ ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ପୂର୍ବରୁ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟି କରିଥିଲେ। କିନ୍ତୁ ଗତକାଲି ଘଟିଥିବା ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନାହାନ୍ତି।
ସେପଟେ ଲଗାତାର ଆକ୍ରମଣ ଯୋଗୁଁ ରିୟାଦ୍ କୁ ଯାଉଥିବା ଏବଂ ସେଠାରୁ ଆସୁଥିବା ଅନେକ ବିମାନ ଉଡ଼ାଣ ସେବା ବାତିଲ୍ ହୋଇଛି। ଏତିହାଦ୍ ଓ କତାର ଏୟାରୱେଜର କେତେକ ଉଡ଼ାଣ ମଧ୍ୟ ବାତିଲ୍ ହୋଇଥିବା ସୂଚନା ରହିଛି ।