ନୂଆଦିଲ୍ଲୀ: ରୋମାନିଆ ଉପକୂଳ ନିକଟସ୍ଥ କଳା ସାଗର (Black Sea)ରେ ଏକ ତୁର୍କୀ ବାଣିଜ୍ୟିକ ଜାହାଜ ଉପରେ ରୁଷୀୟ ଡ୍ରୋନ୍ ଆକ୍ରମଣରେ ଆହତ ହୋଇଥିବା ତିନି ଜଣ ଭାରତୀୟ ବିପଦମୁକ୍ତ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ଏଭଳି ଘଟଣା “ସମ୍ପୂର୍ଣ୍ଣ ଅସ୍ୱୀକାର୍ଯ୍ୟ” ବୋଲି ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଦୃଢ଼ ମତ ରଖିଛନ୍ତି ।
ରୋମାନିଆସ୍ଥିତ ଭାରତ ଦୂତାବାସ 'ଏକ୍ସ' (X)ରେ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟତା ଜାରି କରିଛି । ଆକ୍ରମଣ ସମ୍ପର୍କରେ ଦୂତାବାସ ଅବଗତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଦୁଇଜଣ ବ୍ୟକ୍ତି (ବିଦେଶୀ ନାଗରିକ)ଙ୍କ ମୃତ୍ୟୁ ଘଟିଛି ଏବଂ କିଛି କର୍ମଚାରୀ ଆହତ ହୋଇ ରୋମାନିଆରେ ଚିକିତ୍ସିତ ହେଉଛନ୍ତି । କର୍ମଚାରୀଙ୍କ ମଧ୍ୟରେ ତିନିଜଣ ଭାରତୀୟ ନାଗରିକ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଡ୍ରୋନ୍ ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯିବା ଫଳରେ ଆହତ ହୋଇଥିଲେ ଏବଂ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଭାରତୀୟ ନାଗରିକମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ସମ୍ବନ୍ଧୀୟ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଦୂତାବାସ ନିରନ୍ତର ଯୋଗାଯୋଗରେ ରହିଛି।"
ଭାରତୀୟ ରାଷ୍ଟ୍ରଦୂତ ମନୋଜ ମହାପାତ୍ର, କନଷ୍ଟାଣ୍ଟା କାଉଣ୍ଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତିନିଜଣ ଭାରତୀୟ ନାଗରିକଙ୍କ ସହ କଥା ହୋଇଥିଲେ। ସେ ହସ୍ପିଟାଲର ମୁଖ୍ୟ ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଥିଲେ, ଯିଏ ନିଶ୍ଚିତ କରିଥିଲେ ଯେ ସେହି ତିନିଜଣ ସୁସ୍ଥ ଅଛନ୍ତି। ରାଷ୍ଟ୍ରଦୂତ ସେମାନଙ୍କୁ ସମ୍ଭବପର ସମସ୍ତ ସହାୟତା ଓ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ ।
ମିଶନ୍ ଜଣାଇଛି ଯେ ଆହତ ନାବିକଙ୍କ ସ୍ଥିତି ଉପରେ ନଜର ରଖିବା ପାଇଁ ଏହା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ଏବଂ ଭାରତୀୟ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦେଉଛି।
ଋଷର ଆକ୍ରମଣ ଖବର ଉପରେ ପ୍ରତିକ୍ରିୟା ରଖି ଭାରତ କହିଛି ଯେ ଏଭଳି ଆକ୍ରମଣାତ୍ମକ କାର୍ଯ୍ୟ ସମ୍ପୂର୍ଣ୍ଣ ଅସ୍ୱୀକାର୍ଯ୍ୟ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ଭାରତ ମତ ପୋଷଣ କରିବା ସ୍ତରରୁ ଊର୍ଦ୍ଧ୍ୱକୁ ଯାଇଛି ଏବଂ ନିକଟ ଅତୀତରେ କିଭ୍ ଓ ମସ୍କୋ ଉଭୟଙ୍କ ସହ ଆଲୋଚନା ମାଧ୍ୟମରେ ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ନିଜର ପ୍ରୟାସକୁ ତ୍ୱରାନ୍ୱିତ କରିଛି। କଳା ସାଗରଠାରୁ ଆରମ୍ଭ କରି ଉପସାଗରୀୟ ଅଞ୍ଚଳ ପର୍ଯ୍ୟନ୍ତ ସାଧାରଣ ନାଗରିକଙ୍କ ଜାହାଜ ଉପରେ ହେଉଥିବା ଆକ୍ରମଣ ସମ୍ପୂର୍ଣ୍ଣ ଅସ୍ୱୀକାର୍ଯ୍ୟ । ମିଳିତ ଜାତିସଂଘରେ ଏକ ଅଚଳାବସ୍ଥା ଜାରି ରହିଛି ଏବଂ କିଛି ଦେଶ ଏହାର ସଂସ୍କାରକୁ ବିରୋଧ କରୁଛନ୍ତି। ଆମେ ବିଶ୍ୱାସ କରୁ ଯେ ଆଲୋଚନା ଏବଂ କୂଟନୀତି ହିଁ ଋଷ-ୟୁକ୍ରେନ୍ ସଂଘର୍ଷର ସମାଧାନର ଏକମାତ୍ର ଉପାୟ।