ୱାଶିଂଟନ: ଫ୍ଲାଏଦୁବାଇ ବିମାନ ଆକ୍ରମଣ ଘଟଣା ସାରା ବିଶ୍ୱକୁ ଚକିତ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଏହି ଆକ୍ରମଣ ପଛରେ ଇରାନର ହାତ ଥିବା ଟ୍ରମ୍ପ ନିଜର ବ୍ୟକ୍ତିଗତ ମତ ଦେଇଛନ୍ତି ।
ସୋମବାର ହ୍ୱାଇଟ୍ ହାଉସ୍ ବାହାରେ ସାମ୍ବାଦିକମାନଙ୍କ ସହିତ ଆଲୋଚନାବେଳେ ଟ୍ରମ୍ପକୁ ପ୍ରଶ୍ନ କରାଯାଇଥିଲା, ଏହି ଆକ୍ରମଣ ପଛରେ ଇରାନ ଦାୟୀ କି ? ଯାହାର ଜବାବରେ ଟ୍ରମ୍ପ ହଁ କହିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ଭାବନା ବୋଲି କହିଛନ୍ତି ।
ପୋଲିସ ହେପାଜତରେ ଥିବା ଆକ୍ରମଣକାରୀ ହମାମ ଅଲହମ୍ମାମୀ ମଧ୍ୟ ସ୍ୱୀକାର କରିଛି ଯେ ସେ ଇସ୍ରାଏଲର ବେନ୍ ଗୁରିଅନ ବିମାନ ବନ୍ଦରରେ ପ୍ଲେନ୍ କ୍ରାସ କରି ବିସ୍ଫୋରଣ କରିବାକୁ ଯୋଜନା ରଖିଥିଲା । ବେନ୍ ଗୁରିଅନ ବିମାନ ବନ୍ଦର ୯/୧୧ ଭଳି ଆକ୍ରମଣ କରିବାକୁ ଯୋଜନା ଥିଲା, ଯାହା ସ୍ମିତ ମଚ୍ଛାରଙ୍କ ବୀରତ୍ୱ ପାଇଁ ପଣ୍ଡ ହୋଇଯାଇଥିଲା । ଯେଉଁଥିପାଇଁ ୧୭୬ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା ।
ଏହି ଘଟଣା ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଏଦୁବାଇ ବିମାନ FZ1073 ରେ ଘଟିଥିଲା। ତେଲ୍ ଅବିବ ଯାଉଥିବା ଫ୍ଲାଏଦୁବାଇ ବିମାନରେ ହମ୍ମାମୀ ପ୍ରଥମେ ଜରୁରୀକାଳୀନ ବକ୍ସରେ ଥିବା କୁରାଢ଼ୀ ବାହାର କରି କ୍ୟାପଟେନ୍ ସ୍ମିତଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା । ମୁଣ୍ଡକୁ ଶକ୍ତ ଆଘାତ ଦେବା ସହିତ ହାତରେ ଚୋଟ ମାରିଥିଲା । କ୍ୟାପଟେନ୍ ତଳେ ପଡ଼ିଯିବାରୁ ସେ ନିଜ ନିୟନ୍ତ୍ରଣକୁ ବିମାନକୁ ନେବାକୁ ଚେଷ୍ଟା କରିଥିଲା । ମାତ୍ର ଏହି ସମୟରେ ସ୍ମିତ ମଚ୍ଛାର ସାହସିକତାପୂର୍ବକ ବିମାନର କକପିଟ୍ କୁ ଖୋଲି ଦେଇଥିଲେ । ଏହା ପରେ କ୍ର୍ୟୁ ସଦସ୍ୟ ଏବଂ ଯାତ୍ରୀମାନେ ହମ୍ମାମୀକୁ କାବୁ କରିବା ସହିତ ମଚ୍ଛାରଙ୍କୁ ରକ୍ଷା କରିଥିଲେ । ଏହି ଧସ୍ତାଧସ୍ତି ସମୟରେ, କୌଣସି ସଙ୍କଟକାଳୀନ ସୂଚନା (ଡିଷ୍ଟ୍ରେସ୍ ସିଗନାଲ୍) ପଠାଯିବା ପୂର୍ବରୁ ବିମାନଟି ମାତ୍ର ଦୁଇ ମିନିଟ୍ ମଧ୍ୟରେ ଦ୍ରୁତ ଗତିରେ ୧୬,୦୦୦ ଫୁଟ୍ ତଳକୁ ଖସି ଆସିଥିଲା। ତତ୍ପଶ୍ଚାତ୍, ବିମାନର ଗତିପଥ ପରିବର୍ତ୍ତନ କରାଯାଇ ସାଉଦି ଆରବର ଟାବୁକ୍ ଠାରେ ଏହାର ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କ୍ୟାପଟେନ୍ ମଚ୍ଛାରଙ୍କୁ ହିରୋ ବୋଲି ସମ୍ବୋଧନ କରିଛନ୍ତି । ସେହିପରି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି । ପୂର୍ବରୁ ଟ୍ରମ୍ପ ମଧ୍ୟ ସ୍ମିତଙ୍କୁ ପ୍ରଶଂସା କରିଛନ୍ତି ।