ନୂଆଦିଲ୍ଲୀ: ଆମେରିକାରେ କାର୍ଯ୍ୟରତ ଭାରତୀୟ ଆଇଟି (IT) କମ୍ପାନୀ ଏବଂ ସେଠାରେ କାର୍ଯ୍ୟରତ ଭାରତୀୟ ଆଇଟି ପେଶାଦାରଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକା ଶ୍ରମ ବିଭାଗ ଟାଟା କନସଲଟେନ୍ସି ସର୍ଭିସେସ୍ (TCS), ଇନଫୋସିସ୍, ୱିପ୍ରୋ, HCL, କୋଗ୍ନିଜାଣ୍ଟ ଏବଂ କ୍ୟାପଜେମିନି ଭଳି ୮ଟି ପ୍ରମୁଖ ଆଇଟି ସଂସ୍ଥାକୁ 'ପରମାନେଣ୍ଟ ଲେବର ସାର୍ଟିଫିକେସନ୍ ପ୍ରୋଗ୍ରାମ୍'ରୁ ନିଲମ୍ବିତ କରିଦେଇଛି।
ଏହି ତାଲିକାରେ ମାଇକ୍ରୋସଫ୍ଟ ଏବଂ ଆଡୋବ୍ ଭଳି ବିଶ୍ୱସ୍ତରୀୟ ଦିଗ୍ଗଜ କମ୍ପାନୀ ମଧ୍ୟ ସାମିଲ ଅଛନ୍ତି। ଏହି ନିଷ୍ପତ୍ତି ଫଳରେ ସମ୍ପୃକ୍ତ କମ୍ପାନୀଗୁଡ଼ିକର ନୂତନ ପରମାନେଣ୍ଟ ଲେବର ସାର୍ଟିଫିକେସନ୍ ଆବେଦନ ପ୍ରକ୍ରିୟା ବାତିଲ ହେବା ସହ ପୂର୍ବରୁ ବିଚାରାଧୀନ ଥିବା ଆବେଦନଗୁଡ଼ିକ ମଧ୍ୟ ଅଟକି ଯାଇଛି।
କାହିଁକି ଏପରି ନିଷ୍ପତ୍ତି ନେଲା ଆମେରିକା ?
ଆମେରିକାର ଶ୍ରମ ସଚିବ କିଥ୍ ସୋଣ୍ଡରଲିଂ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଏହି କମ୍ପାନୀଗୁଡ଼ିକ ଯୋଗୁଁ ସ୍ଥାନୀୟ ଆମେରିକୀୟ ନାଗରିକଙ୍କ ପାଇଁ ନିଯୁକ୍ତି ସୁଯୋଗ ବାଧାପ୍ରାପ୍ତ ହେଉଥିଲା। ଆମେରିକା ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୦୯ ମସିହାରୁ ଏପର୍ଯ୍ୟନ୍ତ ଏହି କମ୍ପାନୀଗୁଡ଼ିକ ପ୍ରାୟ ୩୦ ଲକ୍ଷ ବିଦେଶୀ କର୍ମଚାରୀଙ୍କ ପାଇଁ ନିଯୁକ୍ତି ଅନୁରୋଧ କରିଥିଲେ। ଏହି ଅବଧି ମଧ୍ୟରେ ୨.୩୦ ଲକ୍ଷରୁ ଅଧିକ H-1B ଭିସା ମଞ୍ଜୁର ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ପରମାନେଣ୍ଟ ଲେବର ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଶ୍ରମ ବିଭାଗର ଅଭିଯୋଗ ଅନୁଯାୟୀ, ଆମେରିକୀୟ କର୍ମଚାରୀମାନେ ଯୋଗ୍ୟ ଥିବା ସତ୍ତ୍ୱେ ଅନେକ ପଦବୀ ବିଦେଶୀ କର୍ମଚାରୀଙ୍କୁ ଦିଆଯାଇଥିଲା।
କ’ଣ ଏହି ‘ପରମାନେଣ୍ଟ ଲେବର ସାର୍ଟିଫିକେସନ୍’ ?
ଯେତେବେଳେ ଆମେରିକାର କୌଣସି କମ୍ପାନୀ ଜଣେ ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ନିଯୁକ୍ତ କରିବାକୁ ଚାହେଁ କିମ୍ବା ସେମାନଙ୍କ ପାଇଁ ‘ଗ୍ରୀନ୍ କାର୍ଡ’ (Green Card) ପ୍ରକ୍ରିୟା ଆରମ୍ଭ କରେ, ସେତେବେଳେ ଏହି ସାର୍ଟିଫିକେଟ୍ ଆବଶ୍ୟକ ହୋଇଥାଏ। ଏଥିପାଇଁ କମ୍ପାନୀକୁ ପ୍ରମାଣିତ କରିବାକୁ ପଡ଼ିଥାଏ ଯେ ସମ୍ପୃକ୍ତ ପଦବୀ ପାଇଁ କୌଣସି ଯୋଗ୍ୟ ଆମେରିକୀୟ ନାଗରିକ ଉପଲବ୍ଧ ନାହାନ୍ତି।