ଷ୍ଟକହୋମ୍: ବୁଧବାର ଚଳିତବର୍ଷ ନୋବେଲ ପୁରସ୍କାର ପାଇଁ ରସାୟନ ବିଜ୍ଞାନରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଫ୍ରାନ୍ସର ହେନରି ବି. କାଗାନ୍ ଏବଂ ଜାପାନ କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ୨୦୨୬ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ହେନରି କାଗାନ୍ ଏବଂ କେନସୋ ସୋଆଇଙ୍କୁ ଅସମମିତ ଜୈବ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ସ୍ୱୟଂ-ଉତ୍ପେରଣର ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ ମିଳିଛି।
ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ହେନରି ଏବଂ କେନସୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। କାଗାନ ଫ୍ରାନ୍ସର ଓରସେସ୍ଥିତ ପ୍ୟାରିସ-ସୁଡ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସେହିପରି ସୋଆଇ ଜାପାନର ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ଅଛନ୍ତି।
ବର୍ଷ ବର୍ଷ ଧରି ରସାୟନିକ ବିଜ୍ଞାନରେ ରହିଥିବା ରହସ୍ୟର ସମାଧାନ ଖୋଜିବାରେ ଏହି ଦୁଇ ବୈଜ୍ଞାନିକ ସଫଳ ହୋଇଛନ୍ତି । କିଛି ଅଣୁ ଦୁଇ ପ୍ରକାର ହୋଇଥାଆନ୍ତି । ଦୁଇଟି ପ୍ରାୟ ଏକ ପ୍ରକାର ଦେଖାଯାଆନ୍ତି, ଯାହାକୁ ମିରର୍ ଇମେଜ୍ ବା ଦର୍ପଣ ପ୍ରତିଛବି ବୋଲି କୁହାଯାଏ । କିନ୍ତୁ ଆମ ଶରୀରେ ଏକ ପ୍ରକାର ଅଣୁ କାମ କରିଥାଏ, ଦ୍ୱିତୀୟଟି ନୁହେଁ । କାହିଁକି କେବଳ ଗୋଟିଏ ଅଣୁ କାମ କରେ ବୋଲି ବୈଜ୍ଞାନିକ ମାନେ ତାର ଉତ୍ତର ବର୍ଷ ବର୍ଷ ଧରି ଖୋଜୁଥିଲେ ।
ଆମ ଶରୀରର ପ୍ରତ୍ୟେକ ଅଂଶ, ଯେପରିକି ରକ୍ତ, ମାଂସପେଶୀ ଏବଂ ପ୍ରୋଟିନ୍ ଏକା ପ୍ରକାରର ଅଣୁ (molecule) ଦ୍ୱାରା ଗଠିତ । ବୈଜ୍ଞାନିକ ଭାଷାରେ ଏହାକୁ 'ହୋମୋକାଇରାଲିଟି' (homochirality) କୁହାଯାଏ, ଯାହାର ଅର୍ଥ ହେଉଛି "ସମାନ-ହସ୍ତତା" (same-handedness)। 'ଆମିନୋ ଏସିଡ୍' ନାମକ ଅଣୁଗୁଡ଼ିକ ପ୍ରୋଟିନ୍ ଗଠନ କରନ୍ତି । ଯଦିଓ ସେଗୁଡ଼ିକ ଦୁଇଟି ରୂପରେ ଥାଆନ୍ତି, ତଥାପି ଶରୀରରେ କେବଳ ଗୋଟିଏ ରୂପ ଦେଖିବାକୁ ମିଳେ, ଅନ୍ୟପକ୍ଷରେ ଅନ୍ୟ ରୂପଟି ପ୍ରକୃତିରେ ବହୁତ କମ୍ ଦେଖାଯାଏ। ଯେତେବେଳେ ବୈଜ୍ଞାନିକମାନେ ପରୀକ୍ଷାଗାରରେ ଏହି ଅଣୁଗୁଡ଼ିକୁ ପ୍ରସ୍ତୁତ କଲେ, ସେତେବେଳେ ଉଭୟ ରୂପ ସମାନ ପରିମାଣରେ ଉତ୍ପନ୍ନ ହୋଇଥିଲା। ଔଷଧ ନିର୍ମାତାମାନଙ୍କ ପାଇଁ ଏହା ଏକ ଆହ୍ୱାନ ସୃଷ୍ଟି କରିଥିଲା କାରଣ ଔଷଧରେ କେବଳ ଗୋଟିଏ ରୂପ ହିଁ କାର୍ଯ୍ୟକାରୀ ହୋଇଥାଏ, ଯେତେବେଳେ କି ଅନ୍ୟ ରୂପଟି ନିରର୍ଥକ କିମ୍ବା କ୍ଷତିକାରକ ମଧ୍ୟ ହୋଇପାରେ।
୧୯୮୬ ମସିହାରେ ହେନେରି କାଗାନ୍ ଏକ ନୂତନ ପଦ୍ଧତି ଆବିଷ୍କାର କରିଥିଲେ। ସେ ଏକ ରାସାୟନିକ ପ୍ରତିକ୍ରିୟାକୁ ଏପରି ଭାବରେ ସମ୍ପାଦନ କରିଥିଲେ ଯେଉଁଥିରେ ଗୋଟିଏ ରୂପ ଅନ୍ୟଟି ତୁଳନାରେ ଅଧିକ ପରିମାଣରେ ଉତ୍ପନ୍ନ ହୋଇଥିଲା । ପୂର୍ବରୁ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ ଉଭୟ ରୂପ ସର୍ବଦା ସମାନ ପରିମାଣରେ ଉତ୍ପନ୍ନ ହେବ । କାଗାନ୍ ଦର୍ଶାଇଥିଲେ ଯେ ଆରମ୍ଭରେ ଥିବା ଏକ ସାମାନ୍ୟ ପାର୍ଥକ୍ୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ସୃଷ୍ଟି କରିପାରେ। ଏହା ନିର୍ଦ୍ଦିଷ୍ଟ, 'ସିଙ୍ଗଲ୍-ହ୍ୟାଣ୍ଡେଡ୍' (single-handed) ଅଣୁଗୁଡ଼ିକର ସଂଶ୍ଳେଷଣକୁ ସହଜ କରିଦେଇଥିଲା।
କେନସୋ ସୋଆଇ ୧୯୯୫ ମସିହାରେ ଏକ ଅନନ୍ୟ ରାସାୟନିକ ପ୍ରକ୍ରିୟା (reaction) ଉଦ୍ଭାବନ କରିଥିଲେ ଏବଂ ୨୦୦୩ ମସିହାରେ ଏଥିରେ ସଫଳତା ହାସଲ କରିଥିଲେ। ସେ ଏପରି ଏକ ପ୍ରକ୍ରିୟା ବିକଶିତ କରିଥିଲେ ଯାହା କେବଳ ଗୋଟିଏ ନିର୍ଦ୍ଦିଷ୍ଟ ରୂପ—ବା "ହାଣ୍ଡେଡନେସ୍" ଉତ୍ପନ୍ନ କରୁଥିଲା ଏବଂ ଅନ୍ୟ ରୂପଟିକୁ ବାଦ୍ ଦେଉଥିଲା । ଏହା ଏପରି ଏକ ସଫଳତା ଥିଲା ଯାହା ପୂର୍ବରୁ କେବେହେଲେ ଜୈବିକ ପ୍ରଣାଳୀ ବାହାରେ ହାସଲ କରାଯାଇ ନଥିଲା। ତାଙ୍କର ଏହି ପଦ୍ଧତି ଉକ୍ତ ପ୍ରକ୍ରିୟାରୁ ମିଳୁଥିବା ଉତ୍ପାଦ ଉପରେ ନିର୍ଭର କରେ, ଯାହା ପରବର୍ତ୍ତୀ ଉତ୍ପାଦନ ପାଇଁ କାଟାଲିଷ୍ଟ ଭାବେ କାର୍ଯ୍ୟ କରେ, ଠିକ୍ ଯେପରି ଏକ ମଞ୍ଜିରୁ ଗଛ ହୁଏ ଏବଂ ସେହି ଗଛରୁ ପୁଣି ଅଧିକ ମଞ୍ଜି ମିଳେ । ଫଳସ୍ୱରୂପ ଗୋଟିଏ ନିର୍ଦ୍ଦିଷ୍ଟ ଦିଗବିନ୍ୟାସ ବିଶିଷ୍ଟ ଅଣୁଗୁଡ଼ିକ ସ୍ୱତଃ ବୃଦ୍ଧି ପାଇଥାନ୍ତି।
ନୋବେଲ କମିଟି କହିଛି ଯେ ଏହି ଦୁଇଜଣ ଏକ ଶତାବ୍ଦୀ ପୁରୁଣା ରହସ୍ୟର ସମାଧାନ କରିଛନ୍ତି । ବୈଜ୍ଞାନିକମାନେ ଏବେ ଔଷଧ ବିକଶିତ କରିବା ସମୟରେ ସଠିକ୍ ଅଣୁ ବାଛିପାରିବେ। ଅନେକ ଔଷଧରେ, ଭୁଲ ରୂପ ଶରୀରରେ କାମ କରେ ନାହିଁ। ଅନେକ ଔଷଧ କ୍ଷେତ୍ରରେ, ଭୁଲ୍ ରୂପଟି ଶରୀରରେ ଆଶା କରାଯାଉଥିବା ପ୍ରଭାବ ସୃଷ୍ଟି କରିବାରେ ବିଫଳ ହୋଇଥାଏ । କିନ୍ତୁ ସଠିକ୍ ରୂପ ବ୍ୟବହାର କରି ପ୍ରସ୍ତୁତ ଔଷଧଗୁଡ଼ିକ ଅଧିକ ଶସ୍ତା ଏବଂ ଅଧିକ ପ୍ରଭାବଶାଳୀ ହେବ। କର୍କଟ ରୋଗ, ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ କ୍ଷେତ୍ରରେ ଏହା ଲାଭଦାୟକ ହେବ।