ନୂଆଦିଲ୍ଲୀ: ଭାରତ ଉପରେ ପୁଣି ଆମେରିକାର ଟାରିଫ୍ ଚାପ ବଢ଼ିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଆମଦାନୀ ଶୁଳ୍କ ଲଗାଇବା ପ୍ରସ୍ତାବ ଦେଇଛି। ଭାରତ ସହ ଅନ୍ୟ କେତେକ ଦେଶର ଉତ୍ପାଦନ ଓ ବାଣିଜ୍ୟ ନୀତିକୁ ନେଇ ଆମେରିକାର ଯାଞ୍ଚ ପରେ ଏହି ପଦକ୍ଷେପ ନିଆଯାଇଛି।
ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ କିଛି ଦେଶରେ ବଜାରର ଚାହିଦାଠାରୁ ଅଧିକ ସାମଗ୍ରୀ ଉତ୍ପାଦନ ହେଉଛି। ଏହାଦ୍ୱାରା ବିଶ୍ୱ ବଜାରରେ ଅଧିକ ଯୋଗାଣ ହେବା ସହ ଆମେରିକାର ଘରୋଇ ଶିଳ୍ପ ଓ କମ୍ପାନୀ ପ୍ରଭାବିତ ହେଉଛନ୍ତି ବୋଲି ୱାଶିଂଟନ ଯୁକ୍ତି ଦର୍ଶାଇଛି। ଏହି ଆଧାରରେ କାମ୍ବୋଡିଆ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ମାଲେସିଆ, ତାଇୱାନ ଓ ଥାଇଲାଣ୍ଡ ଭଳି ଦେଶ ମଧ୍ୟ ଆମେରିକାର ଶୁଳ୍କ ପ୍ରସ୍ତାବର ପରିସରକୁ ଆସିଛନ୍ତି।
ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଆମେରିକା ନିଜ ବାଣିଜ୍ୟ ନୀତିକୁ ଅଧିକ କଠୋର କରିଛି। ଅନ୍ୟ ଦେଶଗୁଡ଼ିକ ଆମେରିକାରୁ ଅଧିକ ସାମଗ୍ରୀ କିଣନ୍ତୁ ଏବଂ ବିଦେଶୀ କମ୍ପାନୀ ଆମେରିକାରେ କାରଖାନା ସ୍ଥାପନ କରନ୍ତୁ ବୋଲି ଟ୍ରମ୍ପ ପ୍ରଶାସନ ଚାହୁଁଛି। ଏଥିପାଇଁ ଆମଦାନୀ ଶୁଳ୍କକୁ ଏକ ଚାପର ମାଧ୍ୟମ ଭାବେ ବ୍ୟବହାର କରାଯାଉଥିବା ଚର୍ଚ୍ଚା ହେଉଛି।
ଏପଟେ ବ୍ରାଜିଲକୁ ନେଇ ମଧ୍ୟ ଆମେରିକା ଅଲଗା ପଦକ୍ଷେପ ନେଇଛି। ବାଣିଜ୍ୟ ସମ୍ପର୍କିତ ଆମେରିକାର ଚିନ୍ତା ଦୂର କରିବାକୁ ବ୍ରାଜିଲ ପର୍ଯ୍ୟାପ୍ତ ପଦକ୍ଷେପ ନେଇନଥିବା ଅଭିଯୋଗରେ ସେଠାକାର କିଛି ସାମଗ୍ରୀ, ଏପରିକି ବିମାନ ଉପରେ ମଧ୍ୟ ଅତିରିକ୍ତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ରହିଛି।
ଡିସେମ୍ବରରେ ମିଆମିଠାରେ ହେବାକୁ ଥିବା ଜି-୨୦ ବୈଠକ ଉପରେ ମଧ୍ୟ ଏବେ ନଜର ରହିଛି। ଏହି ବୈଠକରେ ବିଶ୍ୱର ପ୍ରମୁଖ ଅର୍ଥନୀତିର ନେତାମାନେ ଯୋଗଦେବେ। ଏହି ଅବସରରେ ଆମେରିକା ଅନ୍ୟ ଦେଶଗୁଡ଼ିକ ସହ ନୂଆ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରିପାରେ। ତେବେ ପ୍ରସ୍ତାବିତ ଶୁଳ୍କ କେବେ ଓ କେଉଁ ହାରରେ ଲାଗୁ ହେବ, ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ରହିଛି।