ନୂଆଦିଲ୍ଲୀ: ସଂସଦର ଆଗାମୀ ଶୀତ ଅଧିବେଶନକୁ ନେଇ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ଡିସେମ୍ବର ୧୫ ପୂର୍ବରୁ ସଂସଦର ଅଧିବେଶନ ଡାକିବାକୁ ସରକାର ଯୋଜନା କରୁଥିବା ସୂଚନା ମିଳିଛି। ଏହି ଅଧିବେଶନରେ ପରିସୀମନ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍ ଉପରେ ପୁଣିଥରେ ଆଲୋଚନା ହୋଇପାରେ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ବୈଠକରେ ମନ୍ତ୍ରୀମାନଙ୍କୁ ଡିସେମ୍ବର ୧୫ ପୂର୍ବରୁ ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏହି ସମୟରେ ବିଦେଶ ଗସ୍ତ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅଧିବେଶନର ତାରିଖ ଓ ଅବଧି ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ନିର୍ଦ୍ଧାରଣ କରିବ।
ଏପ୍ରିଲରେ ସଂସଦରେ ଆବଶ୍ୟକ ସମର୍ଥନ ନମିଳିବାରୁ ପରିସୀମନ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ ହୋଇପାରିନଥିଲା। ଏହାକୁ ପୁଣି ଆଗତ କରିବା ପାଇଁ ସରକାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତେବେ ବିଲ୍ ପାରିତ କରିବାକୁ ଲୋକସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ।
ଅନ୍ୟପଟେ, ପରିସୀମନ ଯୋଗୁଁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ଓ ପ୍ରତିନିଧିତ୍ୱକୁ ନେଇ ଚିନ୍ତା ରହିଛି। ଏହାର ସମାଧାନ ପାଇଁ ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାର ପ୍ରସ୍ତାବ ଉପରେ ବିଚାର ଚାଲିଥିବା ରିପୋର୍ଟରେ କୁହାଯାଇଛି। ତେବେ ଏହି ବିଲ୍କୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ପୁଣି ରାଜନୈତିକ ମୁକାବିଲା ହେବାର ସମ୍ଭାବନା ରହିଛି।
Also Read: ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଓ ପ୍ରତ୍ୟର୍ପଣ ଅଲଗା ଅଲଗା ଜିନିଷ, ଦ୍ୱନ୍ଦ୍ୱରେ ନ ରହୁ ବାଂଲାଦେଶ; ଭାରତର ଦୃଢ ଜବାବ