ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ଫେରିବା ପ୍ରସଙ୍ଗକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ। ହସିନାଙ୍କ ସ୍ୱଇଚ୍ଛାରେ ବାଂଲାଦେଶ ଫେରିବା ଏବଂ ଢାକା ପକ୍ଷରୁ ହୋଇଥିବା ପ୍ରତ୍ୟର୍ପଣ ଦାବି ଦୁଇଟି ଭିନ୍ନ ପ୍ରସଙ୍ଗ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ।
ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, କୌଣସି ନାଗରିକ ଯାତ୍ରା ଦସ୍ତାବିଜ ମାଧ୍ୟମରେ ନିଜ ଦେଶକୁ ସ୍ୱଇଚ୍ଛାରେ ଫେରିବାକୁ ଚାହିଁଲେ ତାହା ପ୍ରତ୍ୟର୍ପଣ ପ୍ରକ୍ରିୟାଠାରୁ ଅଲଗା। ଅନ୍ୟପଟେ, ବାଂଲାଦେଶ ପକ୍ଷରୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଆସିଥିବା ଅନୁରୋଧକୁ ଭାରତ ନିଜର ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଅନୁସାରେ ଯାଞ୍ଚ କରୁଛି।
ସୂଚନା ଅନୁଯାୟୀ, ୨୦୨୪ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହୋଇ ଭାରତ ଆସିଥିଲେ ଶେଖ୍ ହସିନା। ଏବେ ସେ ଡିସେମ୍ବର ୧୬ରେ ବାଂଲାଦେଶ ଫେରିବାକୁ ଯୋଜନା କରୁଥିବା ତାଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ନୂଆ ପାସପୋର୍ଟ ଓ ପରିଚୟପତ୍ର ମଧ୍ୟ ଆବେଦନ କରିଛନ୍ତି।
ତେବେ ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ଚର୍ଚ୍ଚା ଜାରି ରହିଥିବା ବେଳେ ଆଗକୁ ଏହି ପ୍ରସଙ୍ଗ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର।
Also Read: ଭାରତ ଉପରେ ପୁଣି ଟ୍ରମ୍ପଙ୍କ ଟାରିଫ୍ ଚାପ, ୨୫% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଆମେରିକାର ପ୍ରସ୍ତୁତି