ନୂଆଦିଲ୍ଲୀ: ଦେଶର ଦୁଇଟି ହାଇକୋର୍ଟରେ ଖୁବଶୀଘ୍ର ନୂଆ ମୁଖ୍ୟ ବିଚାରପତି ଦାୟିତ୍ୱ ଗ୍ରହଣ କରିପାରନ୍ତି। ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଦୁଇଜଣ ବିଚାରପତିଙ୍କ ନାମ ସୁପାରିସ କରିଛି।
ସୁପାରିସ ଅନୁସାରେ, ଜଷ୍ଟିସ୍ ବିଭୁ ବଖରୁଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ପ୍ରସ୍ତାବ ରହିଛି। ସେହିପରି ତ୍ରିପୁରା ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ୍ ଏମ୍.ଏସ୍. ରାମଚନ୍ଦ୍ର ରାଓଙ୍କୁ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।
ତ୍ରିପୁରା ହାଇକୋର୍ଟ ପାଇଁ ମଧ୍ୟ ନୂଆ ନାମ
ଜଷ୍ଟିସ୍ ରାମଚନ୍ଦ୍ର ରାଓଙ୍କ କର୍ଣ୍ଣାଟକକୁ ବଦଳି ପରେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଖାଲି ହେବ। ଏଥିପାଇଁ ହିମାଚଳ ପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିବେକ ସିଂହ ଠାକୁରଙ୍କ ନାମକୁ କଲେଜିୟମ୍ ସୁପାରିସ କରିଛି।
ସୂଚନା ଅନୁସାରେ, ଝାଡ଼ଖଣ୍ଡ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ସୋନକ ନଭେମ୍ବର ୨୭ରେ ଅବସର ଗ୍ରହଣ କରିବେ। ଏହି କାରଣରୁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିଛି।
ନଭେମ୍ବର ୨୪ରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ତିନୋଟି ସୁପାରିସ ଉପରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ତେବେ ଏହି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଔପଚାରିକ ଅନୁମୋଦନ ଆବଶ୍ୟକ।