ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ନୂଆ ସର୍ଭେ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି। ସର୍ଭେ ଅନୁଯାୟୀ, ରାଜ୍ୟରେ ବିଜେପି ଓ ସମାଜବାଦୀ ପାର୍ଟି (ସପା) ମଧ୍ୟରେ କଡ଼ା ମୁକାବିଲା ହେବାର ସଙ୍କେତ ମିଳିଛି। ସର୍ଭେରେ ବିଜେପିକୁ ୧୭୭ରୁ ୨୧୫ଟି ଆସନ ମିଳିବାର ଆକଳନ କରାଯାଇଥିବା ବେଳେ ସପା ୧୬୦ରୁ ୨୦୨ଟି ଆସନ ଜିତିପାରେ। ସେହିପରି ଆରଏଲଡିକୁ ୧୦, ଆପନା ଦଳ (ଏସ)କୁ ୫ ଏବଂ ସୁଭାସପାକୁ ୩ରୁ ୫ଟି ଆସନ ମିଳିବାର ଆକଳନ ରହିଛି।
୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ସରକାର ଗଠନ ପାଇଁ ୨୦୨ଟି ଆସନ ଆବଶ୍ୟକ। ମେଣ୍ଟ ହିସାବରେ ଏନଡିଏକୁ ୧୮୧ରୁ ୨୨୬ ଏବଂ ଇଣ୍ଡିଆ ମେଣ୍ଟକୁ ୧୭୪ରୁ ୨୧୯ଟି ଆସନ ମିଳିପାରେ ବୋଲି ସର୍ଭେରେ କୁହାଯାଇଛି। ଭୋଟ୍ ହାରରେ ମଧ୍ୟ ଉଭୟ ଦଳ ମଧ୍ୟରେ ନିକଟତର ଲଢ଼େଇ ଦେଖିବାକୁ ମିଳିଛି। ବିଜେପିକୁ ୩୬.୬୯ ପ୍ରତିଶତ ଏବଂ ସପାକୁ ୩୬.୯୮ ପ୍ରତିଶତ ଭୋଟ୍ ମିଳିବାର ଆକଳନ ରହିଛି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦରେ ଯୋଗୀ ଆଦିତ୍ୟନାଥ ୩୫.୨୯ ପ୍ରତିଶତ ସମର୍ଥନ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଅଖିଳେଶ ଯାଦବଙ୍କୁ ୨୬.୫୦ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ମାୟାବତୀଙ୍କୁ ୮.୫୯ ପ୍ରତିଶତ ସମର୍ଥନ ମିଳିଛି। ଅକ୍ଟୋବର ୧୫ରୁ ନଭେମ୍ବର ୨୩, ୨୦୨୬ ମଧ୍ୟରେ ଏହି ସର୍ଭେ କରାଯାଇଥିବା ଦାବି କରାଯାଇଛି। ତେବେ ଏହା କେବଳ ଏକ ଜନମତ ସର୍ଭେ, ନିର୍ବାଚନ ଫଳାଫଳ ନୁହେଁ।
Also Read: ବିଦ୍ୟୁତ୍ ଠିକା କର୍ମଚାରୀ ଆନ୍ଦୋଳନକୁ ନେଇ ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ବେଆଇନ କାର୍ଯ୍ୟ ବରଦାସ୍ତ କରାଯିବନି