ଭୁବନେଶ୍ୱର: ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ବିଧାନସଭାରେ ନିଜ ପକ୍ଷ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଆନ୍ଦୋଳନକାରୀଙ୍କ ଦାବିକୁ ସେ ଯୁକ୍ତିସଙ୍ଗତ ନୁହେଁ ବୋଲି କହିବା ସହ ବିଦ୍ୟୁତ୍ ଯୋଗାଣ ବାଧା ସୃଷ୍ଟି କରିବା ଉଦ୍ୟମକୁ ଗୁରୁତର ଭାବେ ନେଇଛନ୍ତି।
ଗୃହରେ ବିବୃତି ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଠିକା କର୍ମଚାରୀମାନେ ନିକଟ ଅତୀତରେ ସରକାରଙ୍କ ସହ ଏହି ପ୍ରସଙ୍ଗରେ କୌଣସି ଆଲୋଚନା କରିନାହାନ୍ତି। ଏହାସହ ଆନ୍ଦୋଳନରତ କର୍ମଚାରୀଙ୍କ ଦାବିକୁ ସରକାର ଗ୍ରହଣୀୟ ମନେ କରୁନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ, କୌଣସି କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇନଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବା କିମ୍ବା ଏଥିରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ବିବୃତି ଅନୁଯାୟୀ, ଆନ୍ଦୋଳନକାରୀମାନେ ୩୩ କେଭି, ୧୩୨ କେଭି ଏବଂ ୪୦୦ କେଭି ବିଦ୍ୟୁତ୍ ନେଟୱର୍କ ଟାୱାର ଉପରକୁ ଚଢ଼ି TPCODL ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣକୁ ବାଧାପ୍ରାପ୍ତ କରିବାକୁ ଉଦ୍ୟମ କରିଛନ୍ତି। ଏଭଳି କାର୍ଯ୍ୟକୁ ଉପମୁଖ୍ୟମନ୍ତ୍ରୀ ଧ୍ୱଂସାତ୍ମକ ଓ ଅତ୍ୟନ୍ତ ଅଗ୍ରହଣୀୟ ବୋଲି ଅଭିହିତ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ବିଦ୍ୟୁତ୍ ସରବରାହରେ ବାଧା ଉପୁଜିଲେ ହସ୍ପିଟାଲ, AIIMS, SCB ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ଜରୁରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକ ପ୍ରଭାବିତ ହୋଇପାରନ୍ତି। ଏହାଦ୍ୱାରା ଚିକିତ୍ସାଧୀନ ହଜାର ହଜାର ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।