କେନ୍ଦ୍ରାପଡ଼ା: ଖବର ପ୍ରକାଶ କରିବା ପଡ଼ିଲା ମହଙ୍ଗା। ସରକାରୀ ଜମି ଜବରଦଖଲ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ। ଠେଙ୍ଗା, ବାଡ଼ି ଓ ଲୁହା ରଡ୍ରେ ଆକ୍ରମଣ କରିବା ସହ ଏକ ଘରେ ବନ୍ଦ କରି ମାଡ଼ ମାରିଥିବା ଅଭିଯୋଗ। ଏପରିକି ସାମ୍ବାଦିକଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରିଘାଗଡ଼ ଗାଁରେ। ଆହତ ସାମ୍ବାଦିକ ହେମନ୍ତ କୁମାର ବେହେରାଙ୍କୁ ପ୍ରଥମେ ରାଜନଗର ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ରାଜନଗର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।
ସରକାରୀ ଜମି ଜବରଦଖଲକୁ ନେଇ ଖବର ପ୍ରକାଶ କରିଥିଲେ ସାମ୍ବାଦିକ ହେମନ୍ତ କୁମାର ବେହେରା। ଏହାକୁ କେନ୍ଦ୍ର କରି ଜବରଦଖଲକାରୀମାନେ ତାଙ୍କ ଉପରେ ରାଗ ରଖିଥିଲେ । ବୁଧବାର ସକାଳ ପ୍ରାୟ ୮ଟା ସମୟରେ ହେମନ୍ତ ଏକ ଚା' ଦୋକାନରେ ବସି ଚା' ପିଉଥିବା ବେଳେ କିଛି ବ୍ୟକ୍ତି ହଠାତ୍ ତାଙ୍କୁ ଘେରିଯାଇ ଠେଙ୍ଗା, ବାଡ଼ି ଓ ଲୁହା ରଡ୍ରେ ଆକ୍ରମଣ କରିଥିବା ଅଭିଯୋଗ। ଆକ୍ରମଣରେ ହେମନ୍ତ ତଳେ ପଡ଼ିଯିବା ପରେ ତାଙ୍କୁ ଏକ ଘରକୁ ନେଇ ହାତଗୋଡ଼ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ତାଙ୍କ ମାଆ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ପିଟିଥିଲେ ।
ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ହେମନ୍ତଙ୍କୁ ରାଜନଗର ମେଡିକାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l ଅନ୍ୟପଟେ ହେମନ୍ତଙ୍କ ଭଉଣୀଙ୍କୁ ଥାନାରେ ଅଭିଯୋଗ ନକରିବାକୁ ଧମକ ଦିଆଯାଇଥିବା ନେଇ ତାଙ୍କ ପତ୍ନୀ ସ୍ୱପ୍ନାରାଣୀ ବେହେରା ରାଜନଗର ଥାନାରେ ଏତଲା ଦେଇଛନ୍ତି। ଘଟଣାରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକ ମହଲରେ ଦାବି ହୋଇଛି।