ବାଲେଶ୍ୱର: ବିସ୍କୁଟ ଚୋରି ଅଭିଯୋଗରେ ୧୩ ବର୍ଷୀୟ ନାବାଳକଙ୍କୁ ନିର୍ଯାତନା ଦେଇ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ। ଏହି ଘଟଣାରେ ଦୋକାନୀ ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଛି ପୋଲିସ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଟେଣ୍ଟୁଳି ବଜାରରେ ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ୬୨ ବର୍ଷୀୟ ସନ୍ତୋଷ ବେହେରା ଏବଂ ତାଙ୍କ ୩୫ ବର୍ଷୀୟ ପୁଅ ମାନସ ବେହେରା। ଉଭୟ ଟେଣ୍ଟୁଳି ବଜାରରେ ଏକ ଭେରାଇଟି ଷ୍ଟୋର୍ ଚଳାଉଥିଲେ।
ମୃତ ନାବାଳକ ଜଣକ ହେଉଛନ୍ତି ନୀଳଗିରି ବ୍ଲକ ଟେଣ୍ଟୁଳିଆ ଗାଁର ଦିନେଶ ବାଗସିଂ। ଅଭିଯୋଗ ଅନୁସାରେ, ଦିନେଶ ବିନା ଅନୁମତିରେ ଦୋକାନରୁ ଏକ ପ୍ୟାକେଟ୍ ବିସ୍କୁଟ ଖାଇଥିବାରୁ ଦୋକାନୀ ଓ ତାଙ୍କ ପୁଅ ତାଙ୍କୁ ମାଡ଼ ମାରିବା ସହ ଦୋକାନ ଭିତରେ ଅଟକ ରଖିଥିଲେ। ମାଡ଼ ଯୋଗୁଁ ହୋଇଥିବା ଆଘାତରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ପରେ ଅଭିଯୁକ୍ତଙ୍କ ଦୋକାନ ପଛପଟେ ନିର୍ମାଣାଧୀନ ଏକ ଘର ଭିତରୁ ଦିନେଶଙ୍କ ମୃତଦେହ ମିଳିଥିଲା। ଘଟଣାକୁ ନେଇ ପରିବାର ଲୋକେ ଏବଂ ସ୍ଥାନୀୟ ଗ୍ରାମବାସୀ ନ୍ୟାୟ ଦାବିରେ ମୃତଦେହ ରଖି ପ୍ରାୟ ୧୨ ଘଣ୍ଟା ଧରି ଧାରଣା ଦେଇଥିଲେ।
ଜଣେ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଦୋକାନର ତାଲା ଭାଙ୍ଗି ଯାଞ୍ଚ କରିଥିଲା। ଏହାସହ ଦୋକାନର ସିସିଟିଭି ଫୁଟେଜ୍ ଥିବା ହାର୍ଡଡିସ୍କକୁ ଜବତ କରିଥିଲା।
ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲେ ଗ୍ରାମବାସୀ। ରବିବାର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।