ଭୁବନେଶ୍ୱର: ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍ ଘଟଣାରେ ବଡ଼ ଖୁଲାସା। ସାଙ୍ଗ ଘରୁ ମିଳିଲା ପ୍ରାୟ ଅଧା କିଲୋ ସୁନା ଅଳଙ୍କାର। ଜବତ ସୁନା ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ କମିଶନରେଟ୍ ପୋଲିସ ଆଉ ଜଣେ ମହିଳାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କୁ ଗତ ନଭେମ୍ବର ୩ ତାରିଖରେ ହତ୍ୟା କରାଯାଇଥିଲା। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟା ଓ ଲୁଟ୍ ଘଟଣାରେ ତାଙ୍କ କେୟାରଟେକର ବଳରାମ ମହାରଣା ଓରଫ ବାଲିଆ ଅଭିଯୁକ୍ତ ଅଟନ୍ତି।
ପୋଲିସର ସୂଚନା ଅନୁଯାୟୀ, ହତ୍ୟା ପରେ ବଳରାମ ଲୁଟ୍ କରିଥିବା ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ରହୁଥିବା ନିଜ ସାଙ୍ଗ ସବିତା ସେଠୀଙ୍କ ଘରେ ଲୁଚାଇ ରଖିଥିଲା। କାମରେ ବାହାରକୁ ଯାଉଥିବା କହି ସେ ତାଙ୍କ ଘରେ ଏହି ସାମଗ୍ରୀ ରଖିଥିଲା।
ପୋଲିସ ଉକ୍ତ ଘରୁ ପ୍ରାୟ ଅଧା କିଲୋ ଓଜନର ସୁନା ଅଳଙ୍କାର, ୫୨ଟି ସୁନା ଛାଉଣି ଖେଳ କାର୍ଡ, ରୁପା ବାସନ, ଲୁଟ୍ ଟଙ୍କା ଓ ଏକ ସ୍କୁଟି ଜବତ କରିଛି। ଜବତ ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ଆକଳନ କରାଯାଇଛି।
ଘଟଣାର ୯ ଦିନ ପରେ ଗୁଜରାଟର ବଡୋଦରାରୁ ଅଭିଯୁକ୍ତ ବଳରାମକୁ ଗିରଫ କରିଥିଲା ପୋଲିସ। ହତ୍ୟା ଓ ଲୁଟ୍ ଉଦ୍ଦେଶ୍ୟରେ ସେ ଏହି ଅପରାଧ ଘଟାଇଥିବା ପୋଲିସ ଆଗରେ ସ୍ୱୀକାର କରିଥିବା କୁହାଯାଇଛି। ଅପରାଧ ବିଷୟରେ ଜାଣି ମଧ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ସବିତାଙ୍କୁ ମଧ୍ୟ ଗିରଫ କରାଯାଇଛି।