ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଭୟଙ୍କର ଗଣ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଜଣେ ଜ୍ୱାଇଁ ନିଜ ସ୍ତ୍ରୀ ସହିତ ଶ୍ୱଶୁର ଘରର ସାତ ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କରିଛି । ରାଜାଜୀନଗର ଥାନା ଅଧୀନସ୍ଥ ବାସରୁମ୍ ସର୍କଲ ନିକଟସ୍ଥ ୫୯ ନଂ କ୍ରସ୍ରେ ଥିବା ଏକ ଆବାସିକ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଜଣକ ହେଲା ଇନ୍ଦୁଶେଖର । ସେ ଜଣେ କ୍ୟାବ୍ ଡ୍ରାଇଭର୍ । ମୃତକମାନଙ୍କ ମଧ୍ୟରେ ଅଛନ୍ତି ଇନ୍ଦୁଶେଖରଙ୍କ ପତ୍ନୀ ସୁନିତା, ଶାଶୁ ରୂପାବତୀ, ଶଳା ଶିବକୁମାର ଓ ଶଙ୍କର, ଶଳାଭାଉଜ ଦିବ୍ୟା ଓ ନଳିନୀ ଏବଂ ଶଙ୍କରଙ୍କ ସାତ ବର୍ଷର ପୁଅ ପୁନୀତ ଅନ୍ତର୍ଭୁକ୍ତ। ପୋଲିସକୁ ମାତ୍ର ଗୋଟିଏ ମୃତଦେହ ମିଳିଥିବାବେଳେ ଅନ୍ୟମାନଙ୍କ ମୃତଦେହକୁ ଉଦ୍ଧାର କରିବାକୁ ସନ୍ଧାନ ଜାରି ରହିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏକ ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ ଇନ୍ଦୁଶେଖର ଏବଂ ତା ପତ୍ନୀ ସୁନିତାଙ୍କ ମଧ୍ୟରେ ପ୍ରାୟ ୨୦ ବର୍ଷର ବୈବାହିକ ସମ୍ପର୍କ । କିନ୍ତୁ ଦମ୍ପତିଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳହ ଲାଗି ରହୁଥିଲା । ସୁନୀତା ନିଜ ବାପଘରକୁ ଯିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା।ପରିବାର ସଦସ୍ୟମାନେ ଉଭୟଙ୍କ ମଧ୍ୟରେ ବୁଝାମଣା କରାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ମତଭେଦ ଲାଗି ରହିଲା।
ସୁନିତାଙ୍କୁ ତାଙ୍କ ବାପାଙ୍କ ଘର ପକ୍ଷରୁ ମିଳୁଥିବା ସମର୍ଥନ ପାଇଁ ଶେଖର ଅଧିକ ଝଗଡ଼ା କରୁଥିଲେ । ଶେଷରେ ସୁନିତାଙ୍କ ସମ୍ପୂର୍ଣ୍ଣ ପରିବାରକୁ ଶେଷ କରିଦେବାକୁ ଶେଖର ପ୍ରତିଜ୍ଞା କରିଥିଲା । ଇନ୍ଦୁ ଶେଖର ପ୍ରଥମେ ଯୋଜନା ମୁତାବକ, ପ୍ରଥମେ ନିଜ ପତ୍ନୀଙ୍କୁ ଶିଳରେ ଛେଚି ହତ୍ୟା କରିଥିଲା। ଏହା ପରେ ସେ ମୃତଦେହକୁ କପଡ଼ାରେ ଗୁଡ଼ାଇ ନନ୍ଦି ହିଲ୍ସ ନିକଟରେ ଫିଙ୍ଗି ଦେଇଥିଲା। କାହାର ସନ୍ଦେହ ନ ହେବା ପାଇଁ ସେ ସୁନିତାଙ୍କ ମୋବାଇଲ୍ ଫୋନ୍ ବନ୍ଦ କରିଦେଇଥିଲା ଏବଂ ପଡ଼ୋଶୀମାନଙ୍କୁ କହିଥିଲା ଯେ ସୁନିତା କୌଣସି ଯାତ୍ରାରେ ବାହାରକୁ ଯାଇଛନ୍ତି।
ଏହା ପରେ, ସେ ଏକ ଭୋଜି ବାହାନାରେ ନିଜର ଦୁଇ ଶଳା ଶିବକୁମାର ଏବଂ ଶଙ୍କରଙ୍କୁ ଘରକୁ ଡାକି ସେହି ଶିଳ ପୁଆରେ ଛେଚି ହତ୍ୟା କରିଥିଲେ। ସେ ସେମାନଙ୍କ ପତ୍ନୀମାନଙ୍କୁ, ନିଜ ଶାଶୁଙ୍କୁ ଏବଂ ଶଙ୍କରଙ୍କ ଛୋଟ ପୁଅକୁ ମଧ୍ୟ ହତ୍ୟା କରିଥିଲେ। ଏମିତି ଦୁଇ ଦିନ ମଧ୍ୟରେ ସାତ ସାତ ଜଣଙ୍କୁ ହତ୍ୟା କରିଥିଲା ।
ଗୁରୁବାର ଦିନ ସୁନିତୀଙ୍କ ଭାଉଜ, ନଳିନୀଙ୍କ ମା’ ଶ୍ରୀରାମପୁରା ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିବା ପରେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟିଥିଲା । ପରବର୍ତ୍ତୀ ତଦନ୍ତ ସମୟରେ ପୋଲିସ ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଥିଲା ଏବଂ ଶେଖରକୁ ଗିରଫ କରିଥିଲା।
ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ପରେ ଘର ସଫା କରିବା ଏବଂ ରକ୍ତ ଦାଗ ହଟାଇବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୋଲିସ ସେହି କାର୍କୁ ଜବତ କରିଛି ଯାହା ମୃତଦେହଗୁଡ଼ିକୁ ନେବା ପାଇଁ ବ୍ୟବହୃତ ହୋଇଥିଲା ବୋଲି ସନ୍ଦେହ କରାଯାଉଛି। ଏହା ସହିତ, ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା 'ଶିଳ'କୁ ମଧ୍ୟ ପୋଲିସ ଉଦ୍ଧାର କରିଛି।
ଏହି ହତ୍ୟାକାଣ୍ଡରେ ତାଙ୍କୁ କେହି ସହଯୋଗ କରିଥିଲେ କି ନାହିଁ, ସେ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି; ଏଥିରେ ତାଙ୍କ ଝିଅର ସମ୍ଭାବ୍ୟ ସମ୍ପୃକ୍ତି ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ଏହା ବ୍ୟତୀତ, ଘରଟି ଏକ ଜନବସତି ଅଞ୍ଚଳରେ ଅବସ୍ଥିତ ଥିବା ସତ୍ତ୍ୱେ, କିପରି ଏହି ହତ୍ୟାକାଣ୍ଡ କାହାରି ନଜରକୁ ଆସିଲା ନାହିଁ, ସେ ବିଷୟରେ ପୋଲିସ ଜାଣିବାକୁ ଚେଷ୍ଟା କରୁଛି।