ଚେନ୍ନାଇ: ତାମିଲନାଡୁର ଥେନି ଜିଲ୍ଲାରେ ଥିବା ଥେକ୍କାମ୍ପାଟ୍ଟି ଉପ-କାରାଗାରରେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ୧୭ ଜଣ କଏଦୀ ଫେରାରେ ହେବାରେ ସଫଳ ହୋଇଛନ୍ତି । ଅସୁସ୍ଥତାର ବାହାନା କରି ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରି ଜେରୁ ଚମ୍ପଟ୍ ମାରିଛନ୍ତି । ପଳାତକ କଏଦୀଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ବାକି ଫେରାର କଏଦୀଙ୍କୁ ଧରିବାକୁ ୧୭ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିବା ଦକ୍ଷିଣ ଜୋନର ଆଇଜିପି ବିଜୟେନ୍ଦ୍ର ବିଦାରୀଙ୍କ ସୂଚନା ଦେଇଛନ୍ତି ।
ପୋଲିସର କହିବା ଅନୁଯାୟୀ, ୧୭ ଜଣ କଏଦୀ ଗୋଟିଏ ବାରାକ୍ରେ ରହୁଥିଲେ। ପୂର୍ବ ଯୋଜନା ମୁତାବକ ଜଣେ କଏଦୀ ଅସୁସ୍ଥ ହୋଇପଡ଼ିଥିବା ନେଇ ଜେଲ କର୍ମଚାରୀଙ୍କୁ କହିଥିଲେ । ଜଣଙ୍କୁ ବାତ ମାରୁଥିବା ନେଇ କହିଥିଲେ । ସାହାଯ୍ୟ କରିବା ପାଇଁ ଜେଲ୍ କର୍ମଚାରୀମାନେ ଯେମିତି ବାରାକ୍ ଭିତରକୁ ପ୍ରବେଶ କଲେ, କଏଦୀମାନେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଦେଲେ ଏବଂ ସେଠାରୁ ଖସି ପଳାଇବାରେ ସଫଳ ହେଲେ।
କଏଦୀମାନଙ୍କର ଏହି ହଠାତ୍ ଆକ୍ରମଣରେ, ଥେନି ଜିଲ୍ଲା କାରାଗାରର ଜଣେ ଗ୍ରେଡ୍-୨ ପୋଲିସ ଅଧିକାରୀ ଥଙ୍ଗାପାଣ୍ଡିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଜି. ଭିଲାକ୍କୁ (G. Vilakku) ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏହା ବ୍ୟତୀତ, ଡ୍ୟୁଟିରେ ଥିବା ଅନ୍ୟ ଦୁଇ ଜଣ କାରାଗାର କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
ତେବେ ପୋଲିସ ଚାରି କଏଦୀଙ୍କୁ ଧରିବାରେ ସଫଳ ହୋଇଥିଲା । ଫେରାର କଏଦୀଙ୍କୁ ଧରିବାକୁ ୧୭ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ଏହି ଘଟଣା ପରେ ମଦୁରାଇ, ଦିଣ୍ଡିଗୁଲ ଏବଂ ପଡ଼ୋଶୀ ରାଜ୍ୟ କେରଳର ଇଡୁକ୍କି ଜିଲ୍ଲାର ପୋଲିସକୁ 'ହାଇ ଆଲର୍ଟ'ରେ ରଖାଯାଇଛି। ଦିଣ୍ଡିଗୁଲ ପୋଲିସ ଅଧୀକ୍ଷକ (ଏସ୍.ପି.) ଏସ୍. ଜୟକୁମାର କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଜିଲ୍ଲାର ୧୬ଟି ସ୍ଥାନରେ ଚେକ୍ପୋଷ୍ଟ ସ୍ଥାପନ କରାଯାଇଛି ।ଦିଣ୍ଡିଗୁଲ-ଥେନି ରାଜପଥରେ ଗାଡ଼ିଗୁଡ଼ିକର କଡ଼ା ଯାଞ୍ଚ କରାଯାଉଛି। ଫେରାର ହୋଇଯାଇଥିବା ସମସ୍ତ କଏଦୀଙ୍କ ଫଟୋଚିତ୍ର ନିକଟସ୍ଥ ପୋଲିସ ଥାନାଗୁଡ଼ିକୁ ପଠାଇ ଦିଆଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାରେ ବିରୋଧୀ ଡିଏମକେ ରାଜ୍ୟସଭା ସାଂସଦ ପି. ୱିଲସନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ "ଅତ୍ୟନ୍ତ ଲଜ୍ଜାଜନକ" ବୋଲି କହି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଦର୍ଶାଇ ୱିଲସନ୍ ଇସ୍ତଫା ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଏଥିପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରାଯିବା ଉଚିତ୍ ବୋଲି କହିଛନ୍ତି ।