ଅହମ୍ମଦାବାଦ: ଗୁଜରାଟର ଭାବ୍-ଥାରାଦ ଅଞ୍ଚଳରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଜନ୍ମ କଲା ରାକ୍ଷସ ପାଲଟିଯାଇଛି । ବାପା ନିଜର ଅଢ଼େଇ ବର୍ଷର ପୁଅକୁ ପଟ୍ରୋଲ୍ ଢାଳି ଜିଅନ୍ତା ଜାଳି ଦେଇଛି । ପୋଲିସ ଅଭିଯୁକ୍ତ ବାପା ଅଶୋକ ରାୱଲକୁ ଗିରଫ କରିଛି ।
ସୂଚନା ଅନୁସାରେ, ଭାବ୍ ଥାରାଦ ଅନ୍ତର୍ଗତ ସୁଇଗାମର ଅଶୋକ ପତ୍ନୀ ନିଜ ପୁଅକୁ ସ୍ୱାମୀଙ୍କ ପାଖରେ ଛାଡ଼ି ବାପ ଘରକୁ ଯାଇଥିଲେ । ପିଲା ସମ୍ଭାଳିବା କଷ୍ଟକର ହୋଇପଡ଼ିବାରୁ ବାପା ଶିଶୁଟି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଗତ ୧୩ ତାରିଖ ଅପରାହ୍ନରେ, ଦିନ ୧ଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଛି । ଶିଶୁଟି ଗୁରୁତର ହୋଇ ପଡ଼ିବାରୁ ବାପା ନାଟକ କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।
ଏହା ପରେ ଅଶୋକ ନିଜର ପରିବାର ସଦସ୍ୟଙ୍କ ସାହାଯ୍ୟରେ ତରବରିଆଭାବେ ମୃତଦେହକୁ ପୋତିବାକୁ ଚେଷ୍ଟା କରିଥିଲା । ମାତ୍ର ତାଙ୍କର ସାନ ବାପାଙ୍କ ସନ୍ଦେହ ହେବାରୁ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ପରେ ହତ୍ୟା ଷଡ଼ଯନ୍ତ୍ର ଉପରୁ ପରଦା ହଟିଥିଲା ।
ପୋଲିସ ଉକ୍ତ ମୃତଦେହକୁ ମାଟି ତଳୁ ଖୋଳି ବାହାର କରିବା ସହିତ ଅଭିଯୁକ୍ତ ବାପାକୁ ଗିରଫ କରିଛି । ପିଲା ସମ୍ଭାଳିବାରେ ଅସୁବିଧା ହେବାରୁ ସେ ଏଭଳି ବର୍ବର ହତ୍ୟାକାଣ୍ଡ କରିଥିବା ସ୍ୱୀକାର କରିଛି । ପୋଲିସ ତଦନ୍ତ ଜାରି ରଖିଛି ।