ମସ୍କୋ: ରୁଷିଆର କାମଚାଟକା ଉପଦ୍ୱୀପ ନିକଟରେ ଶୁକ୍ରବାର ୭.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ରେକର୍ଡ ହୋଇଛି। ଏହି ଭୂକମ୍ପ ପରେ ସୁନାମି ଆସିବା ନେଇ ଆଶଙ୍କା ଦେଖାଦେଇଥିବା ବେଳେ, ଆମେରିକାର NOAA ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସଂସ୍ଥା ଅନୁସାରେ, ଭୂକମ୍ପ ପରେ କୌଣସି ସୁନାମି ଚେତାବନୀ, ପରାମର୍ଶ କିମ୍ବା ନଜରଦାରୀ ସୂଚନା ଜାରି କରାଯାଇନାହିଁ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭାରତୀୟ ସମୟ ସକାଳ ୯ଟା ୫ ମିନିଟ୍ରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ୧୫୨ କିଲୋମିଟର ଗଭୀରରେ ଥିଲା। ଗଭୀରତା ଅଧିକ ଥିବା ଏହି ଭୂକମ୍ପର ତୀବ୍ରତାକୁ ନେଇ ବିଭିନ୍ନ ସଂସ୍ଥା ନିଜ ନିଜ ଆକଳନ ପ୍ରକାଶ କରିଛନ୍ତି।
EMSCର ବିସ୍ତୃତ ରିପୋର୍ଟରେ ଭୂକମ୍ପର ତୀବ୍ରତା ୬.୯ ଦର୍ଶାଯାଇଥିବା ବେଳେ, NCS ଓ NOAA ଏହାକୁ ୭.୦ ବୋଲି ରେକର୍ଡ କରିଛନ୍ତି। EMSC ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ରୁଷିଆର ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ଥିଲା।
ଏହି ଭୂକମ୍ପ ପରେ କୌଣସି ସୁନାମି ବିପଦ ନଥିବା NOAA ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ, ଭୂକମ୍ପ ଯୋଗୁଁ ଅଞ୍ଚଳରେ କୌଣସି କ୍ଷୟକ୍ଷତି, ଆହତ କିମ୍ବା ମୃତାହତ ହୋଇଛନ୍ତି କି ନାହିଁ, ସେନେଇ ଅଧିକାରିକ ତଥ୍ୟକୁ ଅପେକ୍ଷା କରାଯାଇଛି।