କାଠମାଣ୍ଡୁ: ପୁଣି ଥରେ ନେପାଳରେ ଜଳ ପ୍ରଳୟ । ନେପାଳ ଗୋର୍ଖା ଜିଲ୍ଲା ବୁଢ଼ୀ ଗଣ୍ଡକୀ ନଦୀରେ ଅଚାନକ ବନ୍ୟା ଆସି ତାଣ୍ଡବ ରଚିଛି । ଆଖି ପିଛୁଳାକେ ୪୦ରୁ ଉର୍ଦ୍ଧ୍ୱ ଘର ଓ ୬ଟି ପୋଲ ଭସାଇ ନେଇଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି । ପ୍ରାୟ ୧୫୦ରୁ ଅଧିକ ବିଦେଶୀ ନାଗରିକ ଫସି ରହିଛନ୍ତି । ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରବିବାର ସକାଳେ ଗଣ୍ଡକୀ ନଦୀରେ ବନ୍ୟା ଆସିଥିଲା । ଏ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । କିନ୍ତୁ ବିଦେଶୀ ପର୍ଯ୍ୟଟକମାନଙ୍କ ପାଖରେ ଖବର ପହଁଚି ପାରିନଥିଲା । ଫଳରେ ସେମାନେ ଫସି ରହିଯାଇଥିଲେ । ସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୪୯ ଜଣ ଲୋକଙ୍କ ଉଦ୍ଧାର କରାଯାଇଛି ।
ମନାସଲୁ ଟ୍ରେକିଂ ଅଞ୍ଚଳରେ ୧୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି। ଅଧିକାରୀମାନଙ୍କ ସନ୍ଦେହ ଯେ, ଭୂସ୍ଖଳନ ଯୋଗୁଁ ଏକ ଉପନଦୀର ପ୍ରବାହ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ପ୍ରଚୁର ପରିମାଣର ଜଳ ଓ ଆବର୍ଜନା ଏକାଠି ହୋଇଯାଇଥିଲା। ଯେତେବେଳେ ଏହି ଅବରୋଧ ହଟିଥିଲା । ସେତେବେଳେ ନଦୀ ଜଳ ଅତ୍ୟନ୍ତ କ୍ଷୀପ୍ର ବେଗରେ ତଳ ମୁହାଁ ହୋଇ ପ୍ରବାହିତ ହୋଇଥିଲା। ତଥାପି, ପ୍ରଶାସନ ଏପର୍ୟ୍ୟନ୍ତ ବନ୍ୟାର ପ୍ରକୃତ କାରଣ ନିର୍ଦ୍ଧାରଣ କରିପାରିନାହିଁ।
ଉଲ୍ଲେଖ ଯୋଗ୍ୟ, ଅଗଷ୍ଟ ୨୬ ତାରିଖରେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀରେ ଆସିଥିବା ବନ୍ୟାରେ ସରକାରୀଭାବେ ୧୪୫୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦୦ ରୁ ଅଧିକ ଲୋକେ ଏବେବି ନିଖୋଜ ଅଛନ୍ତି । ଏହି ବନ୍ୟାରେ ଅନେକ ବଡ଼ ବଡ଼ ଅଟ୍ଟାଳିକା ବୋହି ଯିବା ସହିତ ବଡ଼ ବଡ଼ ପୋଲ ଏବଂ ଜଳ ପ୍ରକଳ୍ପ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ।