କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ମାମଲାରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି । ଅକ୍ଟୋବର ୨୬ ତାରିଖରେ ରାୟ ପ୍ରକାଶ ପାଇବ । ଦୀର୍ଘ ୮ ବର୍ଷ ଧରି ମାମଲା ଚାଲିବା ପରେ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ।
୨୦୧୮ ମସିହାରେ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସାଂସଦ-ବିଧାୟକଙ୍କ ସ୍ୱତନ୍ତ୍ର ଅଦାଲତ ମାଜିଷ୍ଟ୍ରେଟ ଶୁଭମ ବର୍ମା ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀ ବିଜୟ ମିଶ୍ରାଙ୍କ ଓକିଲ ସନ୍ତୋଷ ପାଣ୍ଡ୍ୟା ଏବଂ ରାହୁଲ ଗାନ୍ଧୀଙ୍କ ଓକିଲ କାଶୀ ପ୍ରସାଦ ଶୁକ୍ଳା ନିଜର ପକ୍ଷ ରଖିବା ସହିତ ସାକ୍ଷ୍ୟ ଏବଂ ପ୍ରମାଣ ଦାଖଲ କରିଥିଲେ । ମାଜିଷ୍ଟ୍ରେଟ୍ ମାମଲା ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଯାହା ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ।
ଉତ୍ତର ପ୍ରଦେଶ, କୋତୱାଲି ଦେହାତ ଥାନା ହନୁମାନଗଞ୍ଜର ବାସିନ୍ଦା ବିଜେପି ନେତା ବିଜୟ ମିଶ୍ରା ୪ ଅଗଷ୍ଟ ୨୦୧୮ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ । ଜିଲ୍ଲାରେ ଏକ ସାଂସଦ-ବିଧାୟକ କୋର୍ଟ ପ୍ରତିଷ୍ଠା ହେବା ପରେ ମାମଲାର ଶୁଣାଣି ତ୍ୱରାନ୍ୱିତ ହୋଇଥିଲା। ସ୍ୱତନ୍ତ୍ର କୋର୍ଟ ୨୭ ନଭେମ୍ବର ୨୦୨୩ରେ ଶୁଣାଣି ପାଇଁ ରାହୁଲ ଗାନ୍ଧୀଙ୍କୁ ସମନ କରିଥିଲେ। ସମନ ପାଇବା ପରେ, ରାହୁଲ ଗାନ୍ଧୀ ୨୦ ଫେବୃଆରୀ ୨୦୨୪ରେ ହାଜର ହୋଇଥିଲେ। ସେହି ତାରିଖରେ ତାଙ୍କୁ ଜାମିନ ଦିଆଯାଇଥିଲା।